
ଭଞ୍ଜନଗର ୨୪/୧୦ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି): ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଗଞ୍ଜାମ ଜିଲ୍ଲା। ବଙ୍ଗୋପସାଗର ଉପକୂଳରେ ଅବସ୍ଥିତ ଏହି ଜିଲ୍ଲା ଏକାଧିକ ବାତ୍ୟାର ସାମ୍ନା କରିଛି। ୧୯୯୯ ମହାବାତ୍ୟାଠୁ ଆରମ୍ଭ କରି ୨୦୧୩ ଫାଇଲିନ୍ ପର୍ଯ୍ୟନ୍ତ, ପ୍ରତ୍ୟେକ ବିପର୍ଯ୍ୟୟକୁ ଅତି ନିକଟରୁ ଦେଖିଛନ୍ତି ଭଞ୍ଜନଗର ଉପଖଣ୍ଡ ସମେତ ଗଞ୍ଜାମ ଜିଲ୍ଲାବାସୀ । ଆଉ କେତେକ ବାତ୍ୟା ଅନ୍ୟତ୍ର ଲ୍ୟାଣ୍ଡଫଲ୍ କରିବା ଏବଂ ଗତିପଥ ପରିବର୍ତ୍ତନ ଯୋଗୁଁ ଗଞ୍ଜାମ ଜିଲ୍ଲା ପାଇଁ ପ୍ରଭାବହୀନ ସାବ୍ୟସ୍ତ ହୋଇଛି। ସବୁଠାରୁ ଗୁରୁତ୍ବପୂର୍ଣ ହେଲା ଅକ୍ଟୋବର ଆସିଲେ ବନ୍ୟା, ବାତ୍ୟା ନେଇ ଭୟ ଉପୁଜେ। କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟାର ରୂପରେଖ ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିବା ପରେ ଭଞ୍ଜନଗର ବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ବର୍ଷା ଯଦି ହେବ ତେବେ ଭଞ୍ଜନଗର, ଡହ ଏବଂ ସୋରଡ଼ା ଜଳଭଣ୍ଡାରରୁ ଯେକୌଣସି ମୂହୁର୍ତ୍ତରେ ପାଣି ଛଡାଯିବ ବୋଲି ଜଳସଂପଦ ବିଭାଗ ପକ୍ଷ ରୁ ତଳିଆ ଅଞ୍ଚଳରେ ସୂଚନା ଦିଆଯାଇଛି ।
ଅକ୍ଟୋବରରେ ବାତ୍ୟା କଥା ଶୁଣାଗଲେ ୧୯୯୯ ମହାବାତ୍ୟାର ପ୍ରଭାବ କଥା ମନେପଡ଼େ। ମହାଷ୍ଟମୀ ରାତିରେ ହୋଇଥିବା ବାତ୍ୟା ସହରାଞ୍ଚଳଠୁ ଗ୍ରାମଞ୍ଚଳ ସବୁଠି ତାର ଚିହ୍ନ ଛାଡ଼ିଯାଇଥିଲା। ଉଜୁଡ଼ା ଭିତ୍ତିଭୂମି ସଜାଡ଼ିବାକୁ ଦୀର୍ଘ ବର୍ଷ ଲାଗିଥିଲା ଗଞ୍ଜାମ ଜିଲ୍ଲା ବାସୀଙ୍କୁ । ଏହାର ୧୪ ବର୍ଷ ପରେ ଅର୍ଥାତ ୨୦୧୩ରେ ଫାଇଲିନ୍ ବାତ୍ୟା ପୂର୍ବ ବାତ୍ୟାକୁ ମନେପକାଇ ଦେଇଥିଲା। ଏହା ବି ଥିଲା ଅକ୍ଟୋବର ମାସ । ଏଥର କିନ୍ତୁ ସ୍ଥିତି ଅଲଗା ଥିଲା । ଫାଇଲିନ୍ ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍ କରିଥିଲା। ଯାହାର ତାଣ୍ଡବ ଗଞ୍ଜାମ ଜିଲ୍ଲାର ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା। ଭଞ୍ଜନଗର ଉପଖଣ୍ଡର ବଡ଼ନଦୀ ଓ ଲୋହରାଖଣ୍ଡି ନଦୀରେ ପ୍ରବଳ ପାଣି ଆସି ବେଲଗୁଣ୍ଠା ବ୍ଳକର ୫ଟି ଗାଁ ପ୍ରତି ବଡ଼ ବିପଦ ଆଣିଥିଲା। ବଡ଼ନଦୀ ଫୁଲିଯିବା ସହ ରତଙ୍ଗ ଗ୍ରାମ ନିକଟ ମହୁଲକଣିଆରେ ବିରାଟ ଘାଇ ସୃଷ୍ଟି ହୋଇଥିଲା। ପାଣିର ସ୍ରୋତ ଗାଁ ଆଡ଼କୁ ମାଡ଼ିଆସି ଶତାଧିକ ହେକ୍ଟର ଜମି ଜଳାର୍ଣ୍ଣବ ପାଲଟିଯାଇଥିଲା। ଇଙ୍ଗିନାଠି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ଲୋକେ ସେଠାରେ ପୂର୍ବଭଳି ଚାଷ କାମ କରିପାରୁନାହାନ୍ତି। ପରବର୍ତ୍ତୀ ସମୟ, ଅକ୍ଟୋବର ୨୦୧୪ରେ ପୁଣି ଏକ ବାତ୍ୟା ‘ହୁଡ୍ ହୁଡ୍’ର ପୂର୍ବାନୁମାନ ଲୋକଙ୍କୁ ଫାଇଲିନ୍ କଥା ମନେପକାଇ ଦେଇଥିଲା । ମାତ୍ର ଏହା ବିଶାଖାପାଟଣାରେ ଲ୍ୟାଣ୍ଡଫଲ୍ କରିବାକୁ ଗଞ୍ଜାମ କ୍ଷୟକ୍ଷତିରୁ ବର୍ତି ଯାଇଥିଲା।
ସେହିପରି ଅକ୍ଟୋବର ୨୦୧୮ରେ ପୁଣି ଏକ ବାତ୍ୟାର ହୁରି ପଡ଼ିଲା। ବାତ୍ୟା ‘ତିତଲି’ ଆନ୍ଧ୍ରପ୍ରଦେଶର ପଲାସାରେ ଲ୍ୟାଣ୍ଡଫଲ୍ କରିଥିଲା। ତିତ୍ଲି ପରବର୍ତ୍ତୀ ବର୍ଷାରେ ଭଞ୍ଜନଗର ସହର ବି ଜଳବନ୍ଦି ପାଲଟିଥିବା ବେଳେ ସୋରଡ଼ା ବ୍ଲକ୍ ଗାଜଲବାଡ଼ି ପଞ୍ଚାୟତର ଭୂତପଙ୍କାଳ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ସୀମାନ୍ତ କନ୍ଧମାଳରେ ପ୍ରବଳ ବର୍ଷା ଫଳରେ ମାଟିଅତଡ଼ା ଖସି ବନ୍ୟାଜଳ ପ୍ରବାହିତ ହୋଇଥିଲା। ଘାଟିରେ ଥିବା ଅତାଙ୍ଗୀନାଳର ଗତିପଥ ବଦଳି ଭୂତପଙ୍କଳା ଦେଇ ବନ୍ୟାଜଳ ପ୍ରବାହିତ ହୋଇଥିଲା । ବନ୍ୟାଜଳର ପ୍ରଖର ସ୍ରୋତରେ ଗ୍ରାମର ଘର ଭାସିଯାଇଥିଲା। ୬ ଜଣ ଗ୍ରାମବାସୀ ନିଖୋଜ ହୋଇଯାଇଥିଲେ। ଏବେବି ଅକ୍ଟୋବର ଓ ନଭେମ୍ବର ଆସିଲେ ଉପଖଣ୍ଡର ଭଞ୍ଜନଗର, ବେଲଗୁଣ୍ଠା, ଆସିକା ଓ ସୋରଡ଼ା କୁ ବନ୍ୟା ଭୟ ଘାରୁଛି। ଗୋଟିଏ ପରେ ଗୋଟିଏ ବାତ୍ୟା ଗଞ୍ଜାମ ଉପକୂଳରେ ମାଡ଼ ହୋଇଥିଲେ ବି ଲୋକେ କେବଳ ୧୯୯୯ ମହାବାତ୍ୟା ଓ ଫାଇଲିନ୍କୁ ଭୁଲି ପାରୁ ନାହାନ୍ତି। ସେପ୍ଟେମ୍ବର ୨୦୨୧ରେ କଳିଙ୍ଗପଟନମ୍ ଓ ଗୋପାଳପୁର ମଧ୍ୟରେ ବାତ୍ୟା ‘ଗୁଲାବ’ ଲ୍ୟାଣ୍ଡ ଫଲ୍ କରିଥିଲେ ବି ଏହାଦ୍ୱାରା ବିଶେଷ କ୍ଷୟକ୍ଷତି ହୋଇନଥିଲା। ତେବେ ଆସନ୍ତା ୨୭ ତାରିଖରେ ହେବାକୁ ଥିବା ବାତ୍ୟା ଓ ପରବର୍ତୀ ବର୍ଷା ରେ ବନ୍ୟା ହେବାର ସମ୍ଭାବନା ରହିଛି। ବର୍ଷା ଯଦି ହେବ ତେବେ ଭଞ୍ଜନଗର, ଡହ ଏବଂ ସୋରଡ଼ା ଜଳଭଣ୍ଡାରରୁ ଯେକୌଣସି ମୂହୁର୍ତ୍ତରେ ପାଣି ଛଡାଯିବ। ଏଥିପାଇଁ ଭଞ୍ଜନଗର ଜଳସେଚନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର, ଡହ ସେକସନ ପକ୍ଷରୁ ଧେଣ୍ଡୁରା ମାଧ୍ୟମରେ ଗ୍ରାମବାସୀଙ୍କୁ ସଚେତନ କରାଯାଉଛି ।
ଭଞ୍ଜନଗର ଜଳଭଣ୍ଡାରରେ ୯୦ ପ୍ରତିଶତ ପାଣି ମହଜୁଦ ଥିବା ବେଳେ ଡହ ରେ ୯୫ ପ୍ରତିଶତ ପାଣି ଅଛି। ବର୍ଷା ହେଲେ ଜଳଭଣ୍ଡାରରେ ଆଉ ଅଧିକ ପାଣି ମହଜୁଦ ରଖିବା ବିପଦ। ତେଣୁ ଜଳସମ୍ପଦ ବିଭାଗ ପକ୍ଷରୁ ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବା ପାଇଁ ଭଞ୍ଜନଗର ଜଳସମ୍ପଦ ବିଭାଗ ପ୍ରସ୍ତୁତ ହୋଇଛି।