ବେଲଗୁଣ୍ଠା ପୋଲିସ ତରଫରୁ ସାଇବର ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ

ବେଲଗୁଣ୍ଠା ୨୪/୧୦ (ବିନାୟକ ଗୌଡ଼, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ପୋଲିସ ଥାନା ପୋଲିସ ସମିତି ତରଫରୁ ସାଇବର ସୁରକ୍ଷା ନେଇ ଏକ ସଚେତନତା ଭିଡ଼ିଓ ପ୍ରଦର୍ଶନ କାର୍ଯ୍ୟକ୍ରମ ସ୍ଥାନୀୟ ବଡ଼ଦାଣ୍ଡ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଗୁରୁବାର ଦିନ ସନ୍ଧ୍ୟାରେ ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ସହରର ବହୁ ଜନସାଧାରଣ ଓ ଛାତ୍ର ଛାତ୍ରୀ ଉପସ୍ଥିତ ରହି ବଡ଼ଦାଣ୍ଡରେ ଥିବା ଏଲଇଡ଼ି ସ୍କ୍ରିନରେ ସାଇବର ସୁରକ୍ଷା ନେଇ ପ୍ରଦର୍ଶିତ ସଚେତନତା ମୂଳକ ଭିଡ଼ିଓ ଡକୁମେଣ୍ଟରୀକୁ ଦେଖିଥିଲେ । ମିଥ୍ୟା ପ୍ରଲୋଭନ ଓ ଅନ୍ୟାନ୍ୟ ବିଭିନ୍ନ ଉପାୟ ଅବଲମ୍ବନ କରି କିଭଳି ସାଇବର ଠକ ମାନେ ସାଧାରଣ ଜନତାଙ୍କୁ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଠକି ପାରନ୍ତି ସେଥି ନେଇ ଭିଡ଼ିଓ ମାଧ୍ୟମରେ ସଚେତନତା କରାଯାଇଥିଲା । ଥାନା ଅଧିକାରୀ ଶ୍ରୀମତୀ ଶବର ଓ ଅନ୍ୟ ପୋଲିସ ଅଧିକାରୀ ମାନେ ମଧ୍ୟ ଭିଡ଼ିଓ ପ୍ରଦର୍ଶନ ସ୍ଥଳରେ ଉପସ୍ଥିତ ସାଧାରଣ ଜନତାଙ୍କୁ ସାଇବର ଠକେଇ ଓ ଏହାର ସୁରକ୍ଷା ସମ୍ପର୍କରେ ବୁଝାଉଥିବା ଦେଖିବାକୁ ମିଳିଥିଲା । କୌଣସି ଅଜଣା ବ୍ୟକ୍ତିଙ୍କୁ ନିଜର ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ କୌଣସି ତଥ୍ୟ କିମ୍ବା ଓଟିପି ନ ଦେବା ପାଇଁ ଥାନା ଅଧିକାରୀ କହିବା ସହ ଡିଜିଟାଲ ପ୍ଲାଟଫର୍ମ ବ୍ୟବହାର ସମୟରେ ସତର୍କ ରହିବା ପାଇଁ ପରାମର୍ଶ ଦେଇଥିଲେ । ସାଇବର ଠକେଇ ଶିକାର ହୋଇଥିଲେ ତୁରନ୍ତ ସାଇବର ଥାନା କିମ୍ବା ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ଥିବା ଟୋଲ ଫ୍ରି ନମ୍ବରକୁ ତୁରନ୍ତ ସୂଚନା ଦେବା ପାଇଁ ପରାମର୍ଶ ଦେଇଥିଲେ । ସାଇବର ସୁରକ୍ଷା ସମ୍ପର୍କିତ ସଚେତନତା ଭିଡ଼ିଓ ଦେଖିଥିବା ଦେଖଣାହାରୀ ମାନେ ପୋଲିସର ଏଭଳି ସଚେତନତା ମୂଳକ କାର୍ଯ୍ୟକ୍ରମ ପାଇଁ ଖୁବ ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା । ଏହି ସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ ଏନଏସି ନଗରପାଳ ଫିରୋଜ କୁମାର ସେଠୀ ଓ ବହୁ କାଉନସିଲର ଉପସ୍ଥିତ ଥିଲେ । ଏତଦବ୍ୟତୀତ ବେଲଗୁଣ୍ଠା ପୋଲିସ ଥାନାର ବହୁ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।