୨୬ ରେ ନେଇପାରେ ବାତ୍ୟା ରୂପ, ୨୭ ରାତି କିମ୍ବା ୨୮ ସକାଳୁ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା, ୬ ଦିନ ଯାଏ ପ୍ରବଳ ବର୍ଷା

ଭୁବନେଶ୍ୱର : ଓଡିଶାକୁ ବାତ୍ୟା ଭୟ । ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ନେଇ ପୂର୍ବାନୁମାନ କଲା ପାଣିପାଗ ବିଭାଗ । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ନେଇପାରେ ବାତ୍ୟା ରୂପ । ତେବେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଆଜି ସୃଷ୍ଟି ହୋଇଥିବା ବେଳେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବ । ଘନୀଭୂତ ହୋଇ ବାତ୍ୟାର ରୂପ ନେବା ସମ୍ଭାବନା ରହିଥିବା ବେଳେ ୨୫ ତାରିଖରେ ଗଭୀର ଅବପାତ ର ରୂପନେବ । ୨୬ ରେ ଘୁର୍ଣ୍ଣିଝଡ଼ର ରୂପ ନେବାକୁ ଥିବା ବେଳେ ଆଗାମୀ ୨୪ ଘଣ୍ଟାରେ ଅବପାତ ପରେ ବାତ୍ୟାର ରୂପରେଖ ଅଧିକ ସ୍ପଷ୍ଟ ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ ।ପ୍ରଭାବରେ ରାଜ୍ୟରେ ୬ ଦିନ ଯାଏ ବର୍ଷା ସହ ୨୭ ରୁ ବଢିବ ବର୍ଷାର ବିସ୍ତୃତି ଓ ପରିମାଣ । ବିଶେଷ କରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ଅଧିକ ରହିବ । ‘୨୭ରୁ ୨୯ ତିନିଦିନ ଯାଏଁ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୭ ତାରିଖରେ ସାରା ଓଡ଼ିଶାରେ ବର୍ଷା ସହ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼. ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ପ୍ରବଳ ବର୍ଷା ହେବାକୁ ଥିବାବେଳେ ଏନେଇ ୟେଲୋ ୱର୍ଣ୍ଣିଙ୍ଗ ଜାରି କରିଛି ବିଭାଗ। ୨୮ରେ ସାରା ଓଡ଼ିଶାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବାବେଳେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଗଞ୍ଜାମ ଖୋର୍ଦ୍ଧା ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର ଓ କଟକରେ ଅତି ପ୍ରବଳ ବର୍ଷାକୁ ନେଇ ଅରେଞ୍ଜ ୱର୍ଣ୍ଣିଙ୍ଗ ସହ ପ୍ରବଳ ବର୍ଷା ପାଇଁ ୧୪ ଜିଲ୍ଲାକୁ ୟେଲୋ ୱର୍ଣ୍ଣିଙ୍ଗ ଜାରି କରାଯାଇଛି ।ସେହିପରି ୨୯ ରେ ମୟୁରଭଞ୍ଜ ବାଲେଶ୍ୱର ଭଦ୍ରକରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ସହ କେନ୍ଦ୍ରାପଡା ଜଗତସିଂହପୁର ଯାଜପୁର ଓ କେନ୍ଦୁଝରକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱର୍ଣ୍ଣିଙ୍ଗ ଜାରି କରିଛି ବିଭାଗ । ଏପଟେ ଆସନ୍ତା ୨୪ ଘଂଟାରେ ଲଘୁଚାପ ପ୍ରଭାବରେ ମାଲକାନଗିରି କୋରାପୁଟ ରାୟଗଡା, ଗଂଜାମ ଗଜପତି, କନ୍ଧମାଳ, ଖୋର୍ଦ୍ଧା ପୁରୀ ଜଗତସିଂହପୁର ଓ କେନ୍ଦ୍ରାପଡାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା କୁ ନେଇ ୟେଲୋ ୱର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ଦକ୍ଷିଣ ଓ ଉପକୂଳ ଓଡ଼ିଶାର ୧୭ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନାକୁ ନେଇ ୟେଲୋ ୱର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ଏହି ସମୟରେ ୩୦ ରୁ ୪୦ କିମି ବର୍ଷା ସମ୍ଭାବନା ରହିଛି ।