
ଭଞ୍ଜନଗର ୨୮/୧୦ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ରାଜରାସ୍ତା କଡ଼ରେ ମେଲାଇ ବସିଛନ୍ତି ଅଣଓଡ଼ିଆ ବାଦାମ ବେପାରୀ। ଭଜା ବାଦାମ ବିକି ଦୈନିକ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି। ଉତ୍ତରପ୍ରଦେଶ ଓ ବିହାରରୁ ଆସିଥିବା ଏହି ବେପାରୀମାନେ ବିକୁଛନ୍ତି ରାଜସ୍ଥାନ ବାଦାମ। ଖୋଲା ଆକାଶ ତଳେ ଦୋକାନ ଓ ସେଇଠି ବାଦାମ ଭଜା ଶାଳ। ବଡ଼ ଚୁଲିରେ ବଡ଼ କଡ଼େଇରେ ଭାଜି ଗରମାଗରମ ବାଦାମ ଗ୍ରାହକ ମାନଙ୍କୁ ପରଷି ଦେଉଛନ୍ତି। ଭଞ୍ଜନଗର ବଜାରରେ ରାଜସ୍ଥାନ ବାଦାମର ଚାହିଦା ବୃଦ୍ଧିକୁ ଆଖିରେ ରଖି ଏହି ଅଣଓଡ଼ିଆ ବେପାରୀମାନେ ଗତ କିଛି ବର୍ଷ ହେଲା ଭଞ୍ଜନଗର ବଜାରକୁ କବ୍ଜା କରିନେଲେଣି|
ଉତ୍ତରପ୍ରଦେଶ ଓ ବିହାର ରାଜ୍ୟରୁ ଆସିଛନ୍ତି ଏହି ବାଦାମ ବେପାରୀ। ଭଞ୍ଜନଗର ସହର ଉପକଣ୍ଠ ଲଣ୍ଡେଇସାହି,ବାଉଁଶଲୁଣ୍ଡି,ବଡାକୋଦଣ୍ଡା ଛକ ଓ ଜାମପଲ୍ଲୀ ଛକରେ ଘର ଭଡ଼ା ନେଇ ରହୁଛନ୍ତି। ସେହିଭଳି କିଛି ବେଲଗୁଣ୍ଠା ବ୍ଲକ ବିଞ୍ଚଣା ଓ ଗୋବରା ଅଞ୍ଚଳରେ ବି ରହୁଛନ୍ତି। ସକାଳ ହେଲେ ବାଦାମ ବସ୍ତା,କାଣ୍ଟା,କଡ଼େଇ ଓ ଜାଳେଣୀ କାଠ ଆଦି ଧରି ସେମାନେ ବାହାରି ପଡୁଛନ୍ତି ଭଞ୍ଜନଗର ରାଜରାସ୍ତା କଡ଼କୁ। ଜନଗହଳିପୂର୍ଣ୍ଣ ଛକରେ ନ ବସି, ରାସ୍ତାକଡ଼ର ନିଛାଟିଆ ସ୍ଥାନ ଦେଖି ପସରା ମେଲାଉଛନ୍ତି। ସେଇଠି ଗାତ ଖୋଳି ଚୁଲି କରିଛନ୍ତି। କଞ୍ଚା ବାଦାମ ଗଦେଇ ଗ୍ରାହକଙ୍କୁ ଆକର୍ଷିତ କରୁଛନ୍ତି। କିଛି କିଛି ଗ୍ରାହକ କଞ୍ଚା ବାଦାମ କିଣୁଥିବା ବେଳେ କେତେକ ଗ୍ରାହକ ଭଜା କିଣି ନେଉଛନ୍ତି। ଏବେ ବାଉଁଶଲୁଣ୍ଡି ବିଜୁ ପଟ୍ଟନାୟକ ଛକ,ଚକରା ବିଷୋୟୀ ଛକ, ବେଲଗୁଣ୍ଠା ରୋଡର ରାଜପଥ କଡ଼ରେ ଏମିତି ବେପାରୀଙ୍କୁ ଦେଖିବାକୁ ମିଳୁଛି।ବିଜୁ ପଟ୍ଟନାୟକ ଛକ ନିକଟରେ ବସୁଥିବା ସୁମନ ଖାଁ ଓ ତାଙ୍କ ସାଥୀ ଚମନ୍ଙ୍କ କହିବା କଥା ସେମାନେ ଦୈନିକ ୫୦ରୁ ୬୦ କିଲୋ ଭଜା ଓ କଞ୍ଚା ବାଦାମ ବିକୁଛନ୍ତି। କମ୍ ଗ୍ରାହକ କଞ୍ଚା ବାଦାମ କିଣୁଥିବା ବେଳେ ବେଶି ଲୋକ ଭଜା କିଣିବାକୁ ପସନ୍ଦ କରୁଛନ୍ତି। ୧ କିଲୋ କଞ୍ଚା ବାଦାମ ଭାଜିଲେ ୯୦୦ ଗ୍ରାମ ରହୁଛି। କଞ୍ଚା ବାଦାମ କିଲୋ ୧୨୦ ଟଙ୍କା ଓ ଭଜା କିଲୋ ୧୬୦ ଟଙ୍କା। କିନ୍ତୁ ଖୁଚୁରାରେ ଭଜା ବାଦାମ ଶହେ ଗ୍ରାମ୍କୁ ୨୦ ଟଙ୍କାରେ ବିକ୍ରି କରୁଛନ୍ତି। ଖୁଚୁରା ବେପାରରେ ବେଶି ଲାଭ ହେଉଛି।
ସେମାନଙ୍କ କହିବା କଥା, ଶୀତ ଦିନ ସରିବା ବେଳକୁ ଅର୍ଥାତ୍ ମାର୍ଚ୍ଚ ସୁଦ୍ଧା ଓଡ଼ିଶା ବାଦାମ ବଜାରକୁ ଆସିବ। ସେତେବେଳେ ବେପାର କମିବ। ମାତ୍ର ରାଜସ୍ଥାନରେ ବାଦାମ ଅମଳ ଏହାର ଯଥେଷ୍ଟ ପୂର୍ବରୁ ହୋଇଥାଏ। ପ୍ରାୟ ଜାନୁଆରି ପ୍ରଥମ ସପ୍ତାହ ସୁଦ୍ଧା ରାଜସ୍ଥାନରେ ବାଦାମ ଅମଳ ହୋଇଥାଏ। ତେଣୁ ଓଡ଼ିଶା ବଜାରରେ ବାଦାମର ଚାହିଦାକୁ ଦେଖି ସେମାନେ ଚାଲିଆସନ୍ତି। ବର୍ଷର ୭ ମାସ ବେପାର କରି ପୁଣି ନିଜ ଘରକୁ ଫେରି ଯାଆନ୍ତି। ଓଡ଼ିଶାରେ ବାଦାମ ଅମଳ ହେବା ପରେ ପରେ ସେମାନେ ଏହି ବଜାର ଛାଡ଼ି ଫେରି ଯାଆନ୍ତି।
ଏକଦା ଓଡ଼ିଶାରେ ପ୍ରଚୁର ବାଦାମ ଚାଷ ହେଉଥିଲା। ବାଦାମ ତେଲର ଚାହିଦା ମଧ୍ୟ ବହୁତ ଥିଲା। କିନ୍ତୁ ଏବେ ଓଡ଼ିଶାରେ ବାଦାମ ଚାଷ ବହୁ ପରିମାଣରେ ହ୍ରାସ ପାଇଛି। ବଜାର ଓ ବିପଣନ ସୁବିଧା ନପାଇ ଚାଷୀମାନେ ଏହି ଚାଷରୁ ମୁହଁ ଫେରାଇ ନେଇଛନ୍ତି। ଅଥଚ ଏତିକି ବେଳେ ଏଠାରେ ରାଜସ୍ଥାନ ବାଦାମ ବେପାର ଜମୁଛି I ପୁଣି ବିହାର ଓ ଉତ୍ତରପ୍ରଦେଶର ଯୁବକମାନେ ରାସ୍ତାକଡ଼ରେ ବସି ହଜାର ହଜାର ଟଙ୍କା କମାଇବାରେ ସକ୍ଷମ ହେଉଛନ୍ତି।