୨୩ ଟି ହଜିଲା ମୋବାଇଲ୍ ଫେରାଇଲା ଭଞ୍ଜନଗର ପୋଲିସ

ଭଞ୍ଜନଗର ୦୨/୧୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ହଜିଲା ଫୋନ୍ ଆଉ ମିଳିବ ବୋଲି ଆଶା ବି ନଥିଲା। ହେଲେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ପୁଲିସ୍ ସ୍ବତନ୍ତ୍ର ଅଭିଯାନ ସହ ହଜିଲା ଫୋନ୍ କେବଳ ଉଦ୍ଧାର କରିନି, ବରଂ ଅସଲ ମାଲିକଙ୍କୁ ହସ୍ତାନ୍ତର କରିଛି। ଥାନା ପରିସରରେ ରବିବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗୋଟିଏ କି ଦୁଇଟି ନୁହଁ, ହଜି ଯାଇଥିବା ୨୩ଟି ମୋବାଇଲ୍ ପ୍ରକୃତ ମାଲିକଙ୍କୁ ପୋଲିସ ଫେରାଇଛି। ଦିର୍ଘ ଦିନ ପରେ ମୋବାଇଲ ପାଇ ଲୋକଙ୍କ ମୁହଁରେ ହସ ଫୁଟିଛି।

ରବିବାର ଥାନା ପରିସରରେ ଏହି ମୋବାଇଲ୍ ହସ୍ତାନ୍ତର ମେଳା ଅନୁଷ୍ଠିତ ହୋଇଥିଲା ବେଳେ ଅତିରିକ୍ତ ଆରକ୍ଷୀ ଅଧିକାରୀ ରଞ୍ଜନ କୁମାର ଦେ, ଏସଡିପିଓ ଡ. ଦିପକ କୁମାର ମିଶ୍ର, ଥାନା ଅଧିକାରୀ ଜିବନାନନ୍ଦ ଜେନା, ଏସଆଇ ସମୀର କୁମାର ସେଠି, ଲକ୍ଷ୍ମୀଧର ମାହାନ୍ତି, ଚନ୍ଦନ କୁମାର ଦାସ, ସୌମ୍ୟକାନ୍ତ ଖଟୁଆ, ଜ୍ୟୋସ୍ନାମୟୀ ସାହୁ, ଲିପିନା ବିଶ୍ୱାଳ, ଏଏସଆଇ ସତ୍ୟନାରାୟଣ ମଲ୍ଲିକ, ବିଦେଶୀ ବେହେରା, ଶରତଚନ୍ଦ୍ର ପଣ୍ଡା, ସୁଶାନ୍ତ ପଟ୍ଟନାୟକ, ରୁଦ୍ର ପ୍ରତାପ କହଁର ଉଦ୍ଧାର ମୋବାଇଲ୍ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିଛନ୍ତି।ବିଶେଷକରି ପାର୍କ,ବସଷ୍ଟାଣ୍ଡ ସମେତ ସହରର ବିଭିନ୍ନ ଜନଗହଳିପୁର୍ଣ୍ଣ ସ୍ଥାନରେ ଉକ୍ତ ମୋବାଇଲ ଗୁଡିକ ହଜିଥିଲା ବେଳେ ଭଞ୍ଜନଗର ପୁଲିସ୍ ପକ୍ଷରୁ ଆରମ୍ଭ ହୋଇଥିଲା ଏକ ସ୍ବତନ୍ତ୍ର ଅଭିଯାନ। ହଜିଥିବା ମୋବାଇଲ ମାଲିକଙ୍କ ଅଭିଯୋଗକୁ ଗୁରୁତ୍ବର ସହ ନେଇ ସିଇଆଇଆର୍ ସହାୟତାରେ ୨୩ ଟି ମୋବାଇଲ୍ ଉଦ୍ଧାର କରିଥିଲା ପୁଲିସ। ରବିବାର ଉଦ୍ଧାର ହୋଇଥିଲା ସମସ୍ତ ମୋବାଇଲ ହସ୍ତାନ୍ତର କରାଯାଇଛି। ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ।