
ଭଞ୍ଜନଗର ୦୩/୧୧ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ରେଞ୍ଜ ବାଣିଆପଲ୍ଲୀ ଜଙ୍ଗଲରେ ଗତ ଶନିବାର ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିଲା। ସୋମବାର ଉକ୍ତ ଘଟଣାର ରହସ୍ୟ ବନ ବିଭାଗ ଉନ୍ମୋଚିତ କରିଛି। ଜଣେ ଶିକାରୀ ନିଜ ଫସଲକୁ ସୁରକ୍ଷା କରିବାକୁ ଯାଇ ହାତୀକୁ ଗୁଳିକରି ମାରିଥିବା ଜଣାପଡିଛି। ବନ ବିଭାଗ ଅଭିଯୁକ୍ତ ଉମାକାନ୍ତ ପ୍ରଧାନ (୫୦)ଙ୍କୁ ଗିରଫ କରିବା ପରେ ଦନ୍ତା ମୃତ୍ୟୁ ଘଟଣାର ରହସ୍ୟ ଉନ୍ମୋଚିତ ହୋଇଛି। ଏହି ମାମଲାରେ ବନ ବିଭାଗ ଅଭିଯୁକ୍ତଙ୍କ ଠାରୁ ୨ଟି ବନ୍ଧୁକ, ଗୋଟିଏ ଭଙ୍ଗା ବନ୍ଧୁକ,ଗୁଳି,ବିସ୍ଫୋରକ ଦ୍ରବ୍ୟ,ପାଲ ଜବତ କରିଛି ବୋଲି ଡିଏଫ୍ ଓ ହିମାଂଶୁ ଶେଖର ମହାନ୍ତି ସନ୍ଧ୍ୟାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏଥିସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଘଟଣାରୁ ପ୍ରକାଶ ଯେ, ଗତ ଗୁରୁବାର ରାତିରେ ୨୪ ଟିକିଆ ହାତୀପଲ ବାଣିଆପଲ୍ଲୀ ଜଙ୍ଗଲରେ ଥିଲେ। ସେଥିମଧ୍ୟରୁ ୨ ଟି ହାତୀ ଫସଲ ଖାଇବାକୁ ଜମି ଆଡ଼େ ଯାଇଥିଲେ। ଏ ନେଇ ଉମାକାନ୍ତ ଜାଣି ଜମିକୁ ବନ୍ଧୁକ ଓ ବୋମା ଧରି ଯାଇଥିଲେ। ରାତି ପ୍ରାୟ ୯ ଟା ସମୟରେ ଦୁଇଟି ହାତୀ ଉମାକାନ୍ତଙ୍କ ଧାନ ଫସଲ ଖାଇବାକୁ ଆସିଥିଲେ। ଜମିରେ ପୁର୍ବରୁ ଜଗି ରହିଥିବା ଉମାକାନ୍ତ ପ୍ରଥମେ ହାତୀକୁ ଘଉଡ଼ାଇବା ପାଇଁ ୨ ଟି ବୋମା ମାଡ କରିଥିଲେ। କିନ୍ତୁ ହାତୀଦ୍ବୟ ଜଙ୍ଗଲକୁ ଫେରିଯିବା ବଦଳରେ ହିଂସ୍ର ହୋଇ ଓଲୋଟା ଆତଙ୍କ ରଚିଥିଲା। ଏହି ସମୟରେ ଉମାକାନ୍ତ ବନ୍ଧୁକରୁ ଗୁଳି ଚଳାଇଥିଲା। ଫଳରେ ଦନ୍ତା ହାତୀର ସମ୍ମୁଖ ଭାଗ ବାମ ଗୋଡ ଉପରକୁ ଗୁଳି ଲାଗିଥିଲା। ହାତୀଟି ପ୍ରାଣ ବିକଳରେ ଜଙ୍ଗଲକୁ ପ୍ରାୟ ୫୦୦ ମିଟର ଦୌଡ଼ି ଯାଇ ସେଠୀ ଟଳି ପଡ଼ିଥିଲା। ପରେ ଉମାକାନ୍ତ ଘରକୁ ଫେରି ବନ୍ଧୁକକୁ ଘର ସମ୍ମୁଖ ଜମିରେ ଲୁଚାଇ ରଖିଥିଲେ। ଶନିବାର ସକାଳେ ବନ ବିଭାଗ ହାତୀ ମରିଥିବା ସୂଚନା ପାଇଥିଲା। ପରେ ଭୁବନେଶରରୁ ଜେ ଟି ଏଫ ଟିମ ଆସି ଘଟଣାର ତଦନ୍ତ କରିଥିଲା। ଏଥିସହ ୪ ଜଣିଆ ପ୍ରାଣୀ ବିଶେଷଜ୍ଞ ହାତୀର ବ୍ୟବଚ୍ଛେଦ କରିଥିଲେ। ଏହି ସମୟରେ ହାତୀକୁ ଗୁଳି ହୋଇଥିବା ଜଣାପଡିଥିଲା। ଏହା ପରେ ବନ ବିଭାଗ ଏକାଧିକ ଟିମ୍ ଗଠନ କରି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ସାମ୍ବାଦିକ ସମ୍ମିଳନୀରେ ଏସିଏଫ ବିବେକ ଦାସ, ବିମଳ ପ୍ରଧାନ, ରେଞ୍ଜର ବିମ୍ବାଧର ସାହୁ, ବନପାଳ ବବୁଲ ସେଠୀ, ଟୁନା ମଲ୍ଲିକ, ଅନୁପ ବିଷୋୟୀ, ରାଜେନ୍ଦ୍ର ଦଳେଇ, ବନରକ୍ଷୀ ବିଶ୍ୱଜିତ୍ ହୋତା, ପ୍ରଦ୍ୟୁମ୍ନ ବିଷୋୟୀ, ସୁଶାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।