ପୁଣି ଗଞ୍ଜାମରେ ମନ୍ଦିରରୁ ଚୋରି, କୁଲାଡ଼ରେ ଲୁଟି ନେଲେ କୋଟିଏ ରୁ ଉର୍ଦ୍ଧ୍ବ ମୂଲ୍ୟର ୧୦ ଅଷ୍ଟଧାତୁ ପ୍ରତିମା

ଭଞ୍ଜନଗର (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ପୁଣି ଥରେ ଗଞ୍ଜାମରେ ମନ୍ଦିର ଚୋରି ଦେଖିବାକୁ ମିଳିଛି । ତାରସିଙ୍ଗି ଥାନା କୁଲାଡ଼ ନିକଟସ୍ଥ ନାରାୟଣପାଟଣା ନାରାୟଣ ମନ୍ଦିରରୁ କୋଟିଏରୁ ଉର୍ଦ୍ଧ୍ବ ମୂଲ୍ୟର ୧୦ ଅଷ୍ଟଧାତୁ ମୂର୍ତ୍ତି ଲୁଟି ନେଇଛନ୍ତି ଦୁର୍ବୃତ୍ତ । ପ୍ରତିଦିନ ଭଳି ମନ୍ଦିର ପୂଜକ ରାତି ୮ ଟା ରେ ପୂଜା ସାରି ସମସ୍ତ ଦ୍ଵାର ବନ୍ଦ କରି ତାଲା ପକାଇ ଘରକୁ ଯାଇଥିଲେ । ଶନିବାର ସକାଳୁ ମନ୍ଦିରକୁ ଆସି ଦେଖିବା ବେଳକୁ ସବୁ ଫାଟକ ଖୋଲା ଅଛି ଏବଂ ମୂର୍ତ୍ତି ସବୁ ଗାୟବ ହୋଇଯାଇଛି । ଏହା ଦେଖି ସେ ତୁରନ୍ତ ଗ୍ରାମବାସୀ ଓ ପୋଲିସ କୁ ଖବର ଦେଇଥିଲେ । ତାରସିଙ୍ଗି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଗ୍ରାମବାସୀଙ୍କ ଅନୁସାରେ ମୂର୍ତ୍ତି ଗୁଡିକ ଅଷ୍ଟଧାତୁ ଏବଂ ପିତ୍ତଳ ର ହୋଇଥିବାରୁ ସେଗୁଡ଼ିକର ଆନୁମାନିକ ମୂଲ୍ୟ କୋଟିଏ ରୁ ଉର୍ଦ୍ଧ୍ବ ହେବ ।

ପ୍ରକାଶ ଥାଉ କି ଯେ ଏହା ପୂର୍ବରୁ ଗଞ୍ଜାମରେ ଗତ ଏକ ବର୍ଷ ଭିତରେ ବହୁ ଥର ମନ୍ଦିର ଭିତରୁ ଚୋରି ହୋଇଛି । ପ୍ରସିଦ୍ଧ ତାରାତାରିଣୀ ପୀଠ ଏବଂ କୁଲାଡ଼ ତଳ ବ୍ୟାଘ୍ରଦେବୀ ପୀଠରୁ ଚୋରି ର ପର୍ଦ୍ଧାଫାଶ ହୋଇ ଦୁର୍ବୃତ୍ତ ଧରା ପଡ଼ିଥିବା ବେଳେ ଭଞ୍ଜନଗର ଶିରିଡ଼ି ସାଇ ମନ୍ଦିରରୁ ହୋଇଥିବା ୪୦ ଲକ୍ଷ ରୁ ଉର୍ଦ୍ଧ୍ବ ମୂଲ୍ୟର ଚୋରି ରେ ଆଜି ପର୍ଯ୍ୟନ୍ତ କେହି ଧରପଡ଼ିନାହାନ୍ତି ଏବଂ ଚୋରି ସାମଗ୍ରୀ ଉଦ୍ଧାର ହୋଇ ପାରିନାହିଁ । ଏପରି ସ୍ଥଳେ ପୁଣି ଏକ ମନ୍ଦିରରୁ କୋଟିଏ ରୁ ଉର୍ଦ୍ଧ୍ବ ମୂଲ୍ୟର ଚୋରି ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।