
ଭଞ୍ଜନଗର : ୧୮/୧୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଦିନ ଥିଲା ଫୁଟବଲ୍ ଖେଳ ପାଇଁ ଘୁମୁସର ମାଟି ତଥା ଭଞ୍ଜନଗର ଅଞ୍ଚଳ ସମଗ୍ର ରାଜ୍ୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଏହି ମାଟିରେ ଜନ୍ମିତ ଅନେକ ଫୁଟବଲ ଖେଳାଳି ସମଗ୍ର ରାଜ୍ୟରେ ଓ ଜାତୀୟସ୍ତରରେ ନିଜ ପ୍ରତିଭାର ନିଦର୍ଶନ ଦେଖାଇ ଅଞ୍ଚଳ ପାଇଁ ଗୌରବ ଆଣିଥିଲେ। ସହର ସମେତ ଆଖପାଖ ଗ୍ରାମାଞ୍ଚଳର ଯୁବଗୋଷ୍ଠୀଙ୍କୁ ନେଇ ଅନେକ ଲିଗ୍ ମ୍ୟାଚ୍ ରୀତିମତ ଆୟୋଜିତ ହୋଇଥିଲା। ଏଥିସହ ଅତୀତରେ ଅନେକ ରାଜ୍ୟ ଓ ଜାତୀୟସ୍ତରୀୟ ଟୁର୍ନାମେଣ୍ଟ୍ ବି ଭଞ୍ଜନଗରରେ ଖେଳାଯାଇଥିଲା। ଫଳରେ ଏଠାରେ ଫୁଟବଲ ପ୍ରତି ଯୁବପିଢ଼ି ଆକର୍ଷିତ ହେଉଥିଲେ। କିନ୍ତୁ ଗତ କିଛିବର୍ଷ ଧରି ଟୁର୍ନାମେଣ୍ଟ୍ ଆୟୋଜିତ ହେଉ ନଥିବାରୁ ଏହି ଖେଳ ହାତଗଣତି କିଛି ଖେଳାଳିଙ୍କ ମଧ୍ୟରେ ସୀମିତ ରହିଛି। କିଛି ଖେଳାଳି ନିୟମିତ ନିଜସ୍ବ ଉଦ୍ୟମରେ ଅଭ୍ୟାସ କରୁଛନ୍ତି। ଭଞ୍ଜନଗରର ଗୌରବ ଇତିହାସକୁ ବହନ କରୁଥିବା ଫୁଟବଲ୍ ଖେଳ ବର୍ତ୍ତମାନ ନୂଆ ସମ୍ଭାବନାର ଅପେକ୍ଷାରେ ରହିଛି।
ଏଭଳି ପରିସ୍ଥିତିରେ ଦୀର୍ଘବର୍ଷର ପ୍ରତୀକ୍ଷା ପରେ ଚଳିତମାସ ୨୪ ତାରିଖରୁ ଭଞ୍ଜନଗର ଫୁଟବଲ ଏକାଡେମୀ ଆନୁକୂଲ୍ୟରେ ପୁଣି ସର୍ବଭାରତୀୟ ‘ଭଞ୍ଜଟ୍ରଫି’ ଫୁଟବଲ ଟୁର୍ନାମେଣ୍ଟ୍ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ରାଜ୍ୟର ସମ୍ବଲପୁର, କୋରାପୁଟ, ସୁନ୍ଦରଗଡ଼ ସମେତ ବିହାର ଓ ହାଇଦ୍ରାବାଦ ଆଦି ସହରରୁ ମୋଟ ୮ଟି ଦଳ ଭାଗ ନେବେ ବୋଲି ଜଣାପଡ଼ିଛି। ଫଳରେ ଖେଳାଳିଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଆଉ ଏହି ପ୍ରତିଯୋଗିତା ଫଳରେ ଆଗାମୀ ଦିନରେ ଖେଳପଡ଼ିଆର ଉନ୍ନତୀକରଣକୁ ନେଇ କ୍ରୀଡ଼ାବିତଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି। ବର୍ତ୍ତମାନ ପ୍ରତିଯୋଗିତା ପାଇଁ ପଡ଼ିଆରେ ମାଟି ପକାଇ ସମତୁଲ କରାଯାଇଥିବା ପ୍ରବେଶ ପାଇଁ ଥିବା ରାସ୍ତାରେ ନୂତନ ଗେଟ୍ ଲଗାଯାଇଛି। କିନ୍ତୁ ପ୍ରତିଯୋଗିତା ପରେ ପଡ଼ିଆର ସ୍ଥାୟୀ ଉନ୍ନତୀକରଣ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।