ଜଗନ୍ନାଥପ୍ରସାଦ: ରାଜସ୍ୱ ଗାଁ ପାଇଁ ଅଡ଼ୁଆ ସାଜୁଛି ସୀମା ନିର୍ଦ୍ଧାରଣ

ଜଗନ୍ନାଥପ୍ରସାଦ- ୧୯/୧୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଜଗନ୍ନାଥପ୍ରସାଦ ବ୍ଲକ ପ୍ରତାପୁର ପଂଚାୟତର କଲ୍ୟାଣପୁର ଗ୍ରାମ କୁ ରାଜସ୍ୱ ଗ୍ରାମ ଘୋଷଣା ପାଇଁ ଦୀର୍ଘ ବର୍ଷ ହେଲା ଗ୍ରାମବାସୀ ଦାବି କରିଆସୁଥିଲେ ମଧ୍ୟ ସୀମା ବିବାଦ ପାଇଁ ରାଜସ୍ୱ ଗ୍ରାମ ଘୋଷଣା ରେ ବିଳମ୍ବ ହେଉଛି । ଶୁକ୍ରବାର ଦିନ ପ୍ରତାପୁର ପଂଚାୟତ କାର୍ଯ୍ୟାଳୟ ଠାରେ ଜଗନ୍ନାଥପ୍ରସାଦ ତହସିଲଦାର ଅଶୋକ କୁମାର ମୁଦୁଲି, ଆରଆଇ ଗୋଲକ ବିହାରୀ ମାଝୀ , ପ୍ରତାପୁର ସରପଞ୍ଚ ପ୍ରତିନିଧି ଙ୍କ ଉପସ୍ଥିତି ରେ ପ୍ରତାପୁର ଓ କଲ୍ୟାଣପୁର ଗ୍ରାମ ବାସୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ସମୟ ଆଲୋଚନା ପରେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରିନାହିଁ । ପ୍ରତାପୁର ଅଧୀନରେ ଥିବା କଲ୍ୟାଣପୁର ଗ୍ରାମ ମଧ୍ୟରେ ଦୂରତା ଅଧକିଲୋ ମିଟର ଠାରୁ ଅଧିକ ଦୂର ଓ ଜନସଂଖ୍ୟା ମଧ୍ୟ ୭୦୦ ରୁ ଅଧିକ ହୋଇଯାଥିବା ବେଳେ ଏହା ରାଜସ୍ୱ ଗ୍ରାମ ପାଇବା ପାଇଁ ସମସ୍ତ ଯୋଗ୍ୟ ଲାଭ କରିସାରିଥିବା ତହସିଲ ଦାର ପ୍ରକାଶ କରିଥିଲେ । ମୂଳ ଗ୍ରାମ ପ୍ରତାପୁର ର କିଛି ବ୍ୟକ୍ତି କଲ୍ୟାଣପୁର ରେ ଥିବା ପଞ୍ଚାୟତ କାର୍ଯ୍ୟାଳୟ, ରାଜସ୍ୱ କାର୍ଯ୍ୟାଳୟ, ଘୁଷୁରୀ ଗାଡ଼ିଆ , ଭଳି ସମସ୍ତ ଅନୁଷ୍ଠାନ ନିଜ ମୌଜା ରେ ରଖିବାକୁ ଏକ ପାଖିଆ ଜିଦ କରିବାରୁ ଏହା ସମ୍ଭବ ହେଉନାହିଁ । ପୂର୍ବ ବର୍ଷ ମଧ୍ୟ କଲ୍ୟାଣପୁର ଗ୍ରାମ କୁ ଦୁଇଫାଳ କରି ଗୋଟିଏ ଫାଳ ପ୍ରତାପୁର ରେ ମିଶାଇବାକୁ କହିବା ପରେ ଏହି ପ୍ରସ୍ତାବ ନାକଚ ହୋଇଥିଲା । ଉଭୟ ଗ୍ରାମର ସହଯୋଗ ହେଲେ ସୀମା ନିର୍ଦ୍ଧାରଣ ହୋଇପାରିବ ବୋଲି ତହସିଲଦାର ଶ୍ରୀ ମୁଦୁଲି ପ୍ରକାଶ କରିଛନ୍ତି ।