
ବେଲଗୁଣ୍ଠା (ବିନାୟକ ଗୌଡ଼, ଓଡ଼ିଶା ଟୁଡେ): ମଙ୍ଗଳବାର ଦିନ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଜିଟି ହାଇସ୍କୁଲ ଖେଳ ପଡ଼ିଆରେ ବେଲଗୁଣ୍ଠା ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇ ଯାଇଛି । ଏହି ମେଳାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ ମେଳାକୁ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ସ୍ଥାନୀୟ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବେ ଜିଲ୍ଲା ମୁଖ୍ୟ ପ୍ରାଣ ଚିକିତ୍ସା ଅଧିକାରୀ ଡ.ଅଞ୍ଜନ କୁମାର ଦାଶ ଓ ସମ୍ମାନୀତ ଅତିଥି ଭାବେ ବେଲଗୁଣ୍ଠା ବିଡ଼ିଓ ତଥା ତହସିଲଦାର କଳାକୃଷ୍ଣ ପ୍ରଧାନ , ବ୍ଲକ ଅଧ୍ୟକ୍ଷା ମମତା ଭୋଳ ,ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଭାରତ ଭୂଷଣ ମହାନ୍ତି ପ୍ରମୁଖ ମଞ୍ଚାସିନ ଥିଲେ । କାର୍ଯ୍ୟକ୍ରମରେ ମତ୍ସ୍ୟ ବିଭାଗର ୪ ଜଣ ଓ ପ୍ରାଣୀ ସମ୍ପଦ ବିଭାଗରୁ ୪ ଜଣ ଶ୍ରେଷ୍ଠ ଚାଷୀଙ୍କୁ ମାନ୍ୟବର ମନ୍ତ୍ରୀ ସମ୍ବର୍ଦ୍ଧିତ କରିବା ସହ ନଗଦ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ । ସରକାରଙ୍କ ତରଫରୁ ଚାଷୀଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ମୁଖ୍ୟ ଅତିଥି ତଥା ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବିଷଦ ଭାବେ ଚାଷୀଙ୍କୁ ବୁଝାଇବା ସହ ମତ୍ସ୍ୟ ଓ ପଶୁପାଳନ କରି ରାଜ୍ୟର ବିଭିନ୍ନ ବଡ଼ ବଡ଼ ନେତା ମଧ୍ୟ ଲାଭବାନ ହେଉଥିବା ବେଳେ ସାଧାରଣ ଗ୍ରାମାଞ୍ଚଳରେ ରହୁଥିବା ଚାଷୀଙ୍କ କାହିଁକି ଏହାର ଲାଭ ବା ସୁଫଳ ପାଇ ପାରିବ ନାହଁ ବୋଲି କହିଥିଲେ । ସମ୍ପ୍ରତି ବିଭିନ୍ନ ଶିକ୍ଷିତ ଯୁବକ ମାନେ ଛେଳି ପାଳନ କରି ଏହି କ୍ଷେତ୍ରରେ ପୁଞ୍ଜି ନିବେଶ କରୁଥିବା କହିବା ସହ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନାରେ ଚାଷୀଙ୍କୁ ଋଣ ପ୍ରଦାନ କରି ସବସିଡ଼ି ଯୋଗାଇ ଦିଆଯାଉଥିବା କଥା କହିଥିଲେ । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ଯୋଗାଇ ଦିଆଯାଉଥିବ ଋଣ ଅର୍ଥକୁ ସୁଧ ଦେବାରେ ନ ଲଗାଇ ପ୍ରକୃତ ଲାଭ ଜନକ ଚାଷରେ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ କିଛି ହିତାଧିକାରୀଙ୍କୁ ଟ୍ରାଇ ସାଇକେଲ ଓ ଘର ପଟ୍ଟା ମନ୍ତ୍ରୀ ବଣ୍ଟନ କରିଥିଲେ । ମେଳାରେ ଚାଷୀଙ୍କ ଉଦ୍ଧେଶ୍ୟରେ ବିଭିନ୍ନ ଷ୍ଟଲ ମାଧ୍ୟମରେ କୃଷି ଓ ଆନ୍ୟନ୍ୟ ଶିଳ୍ପ ସମ୍ପର୍କରେ ସଚେତନତା କରାଯିବା ସହ ଉତ୍ପାଦିତ ଦ୍ରବ୍ୟ ପ୍ରଦର୍ଶିତ କରାଯାଇଥିଲା । କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ପ୍ରାଣୀଧନ ନିରୀକ୍ଷକ, ମତ୍ସ୍ୟ ଓ କୃଷି ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।