
ଭଞ୍ଜନଗର ୨୮/୧୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ବହୁଚର୍ଚ୍ଚିତ ପୁଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ମାମଲାରେ ସିବିଆଇ ଆକ୍ସନ୍ ମୋଡ୍କୁ ଆସିଛି। ଆଜି ଭଞ୍ଜନଗରରେ ପହଞ୍ଚି ସିବିଆଇ ଭଞ୍ଜନଗର ଅଞ୍ଚଳର ୩ ଜଣ ଚାକିରୀ ଆଶାୟୀ ପରୀକ୍ଷାର୍ଥୀଙ୍କୁ ଭଞ୍ଜନଗର ଥାନାକୁ ଡାକି ସିବିଆଇ ମୁହାଁମୁହିଁ ଜେରା କରିଛି। ଶୁକ୍ରବାର ପୁର୍ବାହ୍ନ ୧୧ ସମୟରେ ପରୀକ୍ଷାର୍ଥୀମାନେ ଭଞ୍ଜନଗର ଥାନାରେ ପହଞ୍ଚିବା ପରେ ସିବିଆଇ ଅଧିକାରୀ ମାନେ ପଚରାଉଚରା କରିଥିଲେ। ରାକେଟ୍ ସମ୍ପର୍କରେ ସିବିଆଇ ସେମାନଙ୍କ ଠାରୁ ଅନେକ ଗୁରୁତ୍ବପୂର୍ଣ ତଥ୍ୟ ହାତେଇଛି। ୫ ଘଣ୍ଟା ଜେରା ପରେ ସିବିଆଇ ସେମାନଙ୍କୁ ଛାଡ଼ିଥିଲା। ଆସନ୍ତା ଦିନରେ ଆଉ କେତେଜଣ ଆଶାୟୀ ଙ୍କୁ ମଧ୍ୟ ଏ ବାବଦରେ ସିବିଆଇ ଜେରା କରିବ ବୋଲି ବିଶ୍ବସ୍ତ ସୁତ୍ରରୁ ଜଣାପଡିଛି।
ସୂଚନାଯୋଗ୍ୟ, ପୁଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ମାମଲାରେ ପୁଲିସ ୧୧୪ ଆଶାୟୀଙ୍କ ସହ ୩ ଦଲାଲଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ପରେ ମାମଲା କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା। ପରେ ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ମାସ ୨୨ ତାରିଖରେ ସୁପାରିସ କରିଥିଲେ। ଇତିମଧ୍ୟରେ ଗିରଫ ୧୨୬ ଜଣଙ୍କ ମଧ୍ୟରୁ ୧୧୪ ଆଶାୟୀଙ୍କୁ ଜାମିନ ମିଳିସାରିଛି। ସେଥିମଧ୍ୟରେ ଭଞ୍ଜନଗର ଅଞ୍ଚଳର କିଛି ଆଶାୟୀ ରହିଛନ୍ତି।