
ଭଞ୍ଜନଗର ୨୯/୧୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) :ଆଜି ଗଞ୍ଜାମ ଜିଲ୍ଲାପାଳ ଭୀ.କିର୍ତ୍ତି ଭାସନ ଭଞ୍ଜନଗର ଗସ୍ତରେ ଆସି ବିିଭିନ୍ନ ସ୍ଥାନ ବୁଲି ଦେଖିଥିଲେ। ସେ ପ୍ରଥମେ ଚନ୍ଦ୍ରଗିରି ଜଙ୍ଗଲରେ ଚାଲିଥିବା ଚକ୍ରଘାଟି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ। ଏଠାରେ ପ୍ରାୟ ୬ କୋଟି ଟଙ୍କାରେ ଏହି ସ୍ଥାନରେ ଉନ୍ନୟନ କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ବନ ବିଭାଗ ପକ୍ଷରୁ ଏହି ସ୍ଥାନର ସୌନ୍ଦର୍ଯ୍ୟ କରଣ ସାଙ୍ଗକୁ ଏକ ୱାଚ ଟାୱାର ଓ ପର୍ଯ୍ୟଟକଙ୍କ ନିମନ୍ତେ ବ୍ୟବସ୍ଥା କରାଯାଉଛି। ଭଞ୍ଜନଗରରେ ପ୍ରଦ୍ୟୁମ୍ନ କୁମାର ନାୟକ ବିଧାୟକ ଭାବେ ନିର୍ବାଚିତ ହେବା ପରଠାରୁ ଏହି ସ୍ଥାନର ଉନ୍ନତି ପାଇଁ ବହୁ ବିଧି ପ୍ରୟାଶ କରିଥିବା ବେଳେ ନିୟମିତ ଏହି ସ୍ଥାନ ଗସ୍ତ କରି ଏହାର ତଦାରଖ କରୁଛନ୍ତି। ସେହିପରି ଭଞ୍ଜନଗର ଏନ୍ଏସିକୁ ମୁନିସିପାଲଟି ଘୋଷଣା କରାଯିବା ପରେ ଏଠାରେ ଅତ୍ୟାଧୁନିକ ସୁବିଧା କିଭଳି ଲୋକ ମାନଙ୍କୁ ଦିଆଯାଇ ପାରିବ ସେନେଇ ଆଲୋଚନା କରିଥିଲେ। ସହର ମଧ୍ୟରେ ରହିଥିବା ପୁରୁଣା ଜେଲ୍ ବର୍ତ୍ତମାନ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ବେଳେ ପ୍ରାୟ ୨ ଏକର ଜାଗାରେ ଏକ ସୁପର ମାର୍କେଟ କମ୍ପେକ୍ସ୍ ନିର୍ମାଣ ନେଇ ପ୍ରସ୍ତାବ ରହିଛି। ଉକ୍ତ ସ୍ଥାନ ବୁଲି ଦେଖିବା ସହ ନିର୍ମାଣ ହେବାକୁ ଥିବା ମାର୍କେଟ କମ୍ପେକ୍ସ୍ର ଡିପିଆର୍ ଆଦି ସଂର୍ପକରେ ଅଧିକାରୀଙ୍କୁ ପଚାରିଥିଲେ। ଏହାପରେ ସେ କବି ସମ୍ରାଟ ଷ୍ଟାଡିୟମ ବୁଲିବା ସହ ଏହାର ଉନ୍ନତିକରଣ, ଗ୍ୟାଲେରୀ, ପୋଡିଅମ ଆଦି ନିର୍ମାଣ ନେଇ ଆଲୋଚନା କରିଥିଲେ। ଏହାପରେ ସହର ମଧ୍ୟରେ ରହିଥିବା ଭଞ୍ଜ ସାହିତ୍ୟ ପରିଷଦର ଉନ୍ନତି କରଣ ସହ ଏଠାରେ ଉପେନ୍ଦ୍ର ଭଞ୍ଜଙ୍କ ଏକ ମ୍ୟୁଜିୟମ ନିର୍ମାଣ ହେବା ନେଇ ପ୍ରସ୍ତାବ ରହିଥିବା ବେଳେ ତାକୁ ମଧ୍ୟ ବୁଲି ଦେଖିଥିଲେ। ଏଥିସହ ମୁନିସିପାଲଟି ପାଇଁ ନୂତନ କୋଠା ପାଇଁ ଜାଗା, ଆଇଏଏସ୍ ଓ ଆଇପିଏସ୍ ଆଶାୟୀ ପିଲାଙ୍କ ପାଇଁ ଏକ ମାଗଣା ତାଲିମ କେନ୍ଦ୍ର ପାଇଁ ମଧ୍ୟ ଜାଗା, ଘୁମୁସର କ୍ଳବ ଆଦି ବୁଲି ଦେଖିଥିଲେ। ଏହି ଗସ୍ତ ସମୟରେ ଉପଜିଲ୍ଲାପାଳ ଉମା ଶଙ୍କର ବେହେରା, ବିଡିଓ ଭାରତୀ ଦେବୀ, ପୌରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଡେପୁଟି ଉପଜିଲ୍ଲାପାଳ ପ୍ରଧାନ ଟୁଲିଆମ୍ମା, ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ମୂରଲୀକୃଷ୍ଣ ପଣ୍ଡା, ଅତିରିକ୍ତ ତହସିଲଦାର ଅବିନାଶ ମାହାର ପ୍ରମୁଖ ଉପସ୍ଥିତ ରହିଥିଲେ।