
ଜଗନ୍ନାଥ ପ୍ରସାଦ ୦୨/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟ ଯୁବ ରେଡକ୍ରସ୍,ସମର ଶିକ୍ଷାର୍ଥୀ ବାହିନୀ, ଏବଂ ଜାତୀୟ ସେବା ଯୋଜନା ର ମିଳିତ ଆନୁକୁଲ୍ୟରେ ବିଶ୍ବ ଏଡସ ଦିବସ ଅଧ୍ୟକ୍ଷ ଚିନଂ ବଦ୍ରିନାରାୟଣ ପାତ୍ର ଙ୍କ ନିର୍ଦ୍ଦେଶ କ୍ରମେ ମହାବିଦ୍ୟାଳୟ ର ପ୍ରଶାସନିକ ଅଧିକାରୀ ମୋଚିରାମ ନାହାକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ଯୁବ ରେଡକ୍ରସ୍ ଅଧିକାରୀ ଅଧ୍ୟାପକ ବସନ୍ତ କୁମାର ଶତପଥୀ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଆଭିମୁଖ୍ୟ ପ୍ରଦାନ କରି କହିଥିଲେ ଯେ ଆମେ ପ୍ରଥମେ ଏଡ଼ସ ରୋଗର କାରଣ ଏବଂ ଏହାର ନିରାକରଣ ସଂପର୍କରେ ଜାଣିଲେ ଆମେ ଅନ୍ୟକୁ ଜଣାଇବା ଫଳରେ ଆମେ ଏଡ଼ସ ରୋଗକୁ ଜିଣିବା। ତେଣୁ ଆଜି ଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। ସାଧନ ବ୍ୟକ୍ତି ଭାବରେ ନିକଟସ୍ଥ ବରଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଡାକ୍ତରାଣୀ କଲ୍ୟାଣୀ ମହାପାତ୍ର ଯୋଗ ଦେଇ ଏଡ଼ସ ରୋଗର କାରଣ, ନିରାକରଣ ଏବଂ ବିଭିନ୍ନ ସଚେତନତା ଦ୍ଵାରା ହିଁ ଆମେ କିପରି ଏଡ଼ସ ରୋଗକୁ ପ୍ରତିରୋଧ କରିପାରିବା ସେ ସମ୍ପର୍କରେ ସୁବିସ୍ତୃତ ଆଲୋଚନା କରିଥିଲେ। ମହାବିଦ୍ୟାଳୟ ର ଶୈକ୍ଷିକ ଅଧିକାରୀ ଅଧ୍ୟାପକ ମାଧବ ଦଳାଇ ଏବଂ ନାକ୍ ସଂଯୋଜକ ଡକ୍ଟର ଭଞ କିଶୋର ରଣା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ଗଳ୍ପ ମାଧ୍ୟମରେ ଏଡସ ରୋଗର ସଚେତନତା ସଂପର୍କ ରେ ଛାତ୍ରଛାତ୍ରୀ ମାନଙ୍କୁ ଏକ ସାରଗର୍ଭକ ଉଦ୍ ବୋଧନ ଦେଇଥିଲେ। ଏ ପରିପ୍ରେକ୍ଷୀରେ ଏଡ଼ସ ସଚେତନତା ସଂପର୍କିତ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା। ଏବଂ କୃତି ଛାତ୍ର ଛାତ୍ରୀ ମାନଙ୍କୁ ସଭାପତି ଏବଂ ସାଧନ ବ୍ୟକ୍ତିଙ୍କ ଦ୍ବାରା ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ସଭାପତି ଶ୍ରୀଯୁକ୍ତ ମୋଚିରାମ ନାହାକ ତାଙ୍କ ଅଭିଭାଷଣରେ କହିଥିଲେ ଯେ ସଚେତନତା ର ଅଭାବ ହିଁ ଏଡ଼ସ ରୋଗର ମୂଳ କାରଣ। ଇତ୍ୟବସରରେ ମହାବିଦ୍ୟାଳୟ ପରିସରରୁ ଏକ ବିଶାଳ ଏଡ଼ସ ସଚେତନତା ରାଲି ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀ ମାନେ ମହାବିଦ୍ୟାଳୟ ରୁ ବାହାରି ଗୁଡିପଲ୍ଲି ଦେଇ ବିଡି ପୁର ବଜାର ଅତିକ୍ରମ କରି ବିଭିନ୍ନ ସ୍ଳୋଗାନ ମାଧ୍ୟମରେ ଜନସାଧାରଣ ଙ୍କୁ ସଚେତନ କରାଇଥିଲେ। ଜାତୀୟ ସେବାଯୋଜନା ଅଧିକାରୀ ଅଧ୍ୟାପକ ସୁଧିର କୁମାର ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିବାବେଳେ ଯୁବ ରେଡକ୍ରସ୍ ସ୍ବେଛାସେବୀ ମାନସ ସାହୁ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଶେଷରେ ଜାତୀୟ ସେବାଯୋଜନା ଅଧିକାରିଣୀ ସୁଶ୍ରୀ ସଙ୍ଗୀତା ମହାପାତ୍ର ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଯୁବ ରେଡକ୍ରସ୍ , ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଏବଂ ଜାତୀୟ ସେବା ଯୋଜନା ର ସମସ୍ତ ସ୍ବେଛାସେବୀ, ସ୍ବେଚ୍ଛାସେବିନୀ,ଓ କ୍ୟାଡେଟ ତଥା ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀ ଉପସ୍ଥିତ ରହିବା ସହିତ ସହଯୋଗ କରିଥିଲେ।