ଭଞ୍ଜନଗର ୦୪/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ପଞ୍ଚାୟତ ଆକାଉଣ୍ଟରେ ଥିବା ୬ ଲକ୍ଷ ୭୦ ହଜାର ଟଙ୍କାଙ୍କୁ ଆତ୍ମସାତ କରିବା ପିଇଓଙ୍କୁ ମହଙ୍ଗା ପଡିଛି। ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବ୍ରାହ୍ମଣପଦର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ବିରେନ୍ଦ୍ର କୁମାର ଶାସ୍ତ୍ରୀଙ୍କୁ ତାରସିଂ ପୋଲିସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ତାରସିଂ ପୋଲିସ ୪୨୫/୨୫ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।
ସୁଚନାନୁସାରେ ପଞ୍ଚାୟତ ଆକାଉଣ୍ଟଗୁଡ଼ିକ ଠିକ୍ ଭାବେ ପରିଚାଳିତ ହେଉ ନଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ଏହିଭଳି ପରିସ୍ଥିତିରେ ଗତମାସରେ ବିଡିଓ ଭାରତୀ ଦେବୀ କେତେକ ପଞ୍ଚାୟତରୁ ଏଭଳି ଅଭିଯୋଗ ପାଇବା ପରେ ଏକ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ସମୟରେ ବ୍ରାହ୍ମଣପଦର ପିଇଓ ପଞ୍ଚାୟତ ଆକାଉଣ୍ଟରୁ ଉକ୍ତ ଟଙ୍କା ଉଠାଇଥିବା ଜଣାପଡ଼ିଥିଲା। ତଦନ୍ତ ଟିମ୍ ଉଠା ଯାଇଥିବା ନଗଦ ଟଙ୍କା ପଞ୍ଚାୟତ ଲକରରେ ଅଛି କି ନାହିଁ ଜାଣିବାକୁ ଚାହିଁଥିଲେ। କିନ୍ତୁ ଟଙ୍କା ସେଠି ମଧ୍ୟ ନ ଥିଲା। ତେଣୁ ବେନିୟମ ଭାବେ ଟଙ୍କା ଉଠାଇ ଅର୍ଥ ଆତ୍ମସାତ କରିଥିବା ନେଇ ଟିମ୍ ବିଡିଓଙ୍କୁ ରିପୋର୍ଟ ଦାଖଲ କରିଥିଲେ। ଏହା ପରେ ବିଡିଓ ଶ୍ରୀମତୀ ଦେବୀ ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗ ଆଧାରରେ ତାରସିଂ ପୋଲିସ ଘଟଣାର ପ୍ରାଥମିକ ତଦନ୍ତ କରି ଗୁରୁବାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।