
ଭଞ୍ଜନଗର : ୧୪/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): କଥା ଦେଇଥିଲୁ ଶୀତକୁ ସମସ୍ତଙ୍କ ଲାଗି ସହଜ କରିବୁ, କାରଣ ଶୀତ ସମସ୍ତଙ୍କ ପାଇଁ ଉପଭୋଗ ଋତୁ ହୋଇନଥାଏ, ଅପହଞ୍ଚ ଅଞ୍ଚଳରେ ଅବହେଳିତ ଅବସ୍ଥାରେ ରହୁଥିବା ଆଦିବାସୀ ଏବଂ ରାସ୍ତାକଡ଼ରେ ଜୀବନ ଅତିବାହିତ କରୁଥିବା ମଣିଷମାନଙ୍କ ପାଇଁ ଏହା ସାଜିଯାଏ ଅଭିଶାପର ଋତୁ। ଶୀତୁଆ ପବନ ଯେତେବେଳେ ମନ, ପ୍ରାଣ, ଶରୀରକୁ ଥରାଇ ଦିଏ, ମଣିଷ କେବଳ ନିଜ ଅକ୍ଷମତାକୁ ଗ୍ରହଣ କରିନେବାକୁ ବାଧ୍ୟ ହୁଏ। ତେଣୁ ସେଇ ଅକ୍ଷମତାକୁ ଦୂରେଇ ଶୀତକୁ ସହଜ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ବିପଦର ବନ୍ଧୁ ଓଡିଶା ତରଫରୁ ଆରମ୍ଭ ହୁଏ ଧାରାବାହିକ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ। ସେହି ଧାରାରେ ଗତ ତା ୧୩/୧୨/୨୦୨୫ ରିଖ ଦିନ ବିପଦର ବନ୍ଧୁ ଓଡ଼ିଶାର ଭଞ୍ଜନଗର ଅଞ୍ଚଳର ସଦସ୍ୟମାନେ ଭଞ୍ଜନଗରର ବିଭିନ୍ନ ବସ୍ତିର ବାସିନ୍ଦା ମାନଙ୍କୁ ଶୀତରୁ ରକ୍ଷା ପାଇଁ କମ୍ବଳ ବଣ୍ଟନ କରିଥିଲେ। ଶୀତରୁ ସାମାନ୍ୟ ଆଶ୍ବସ୍ତି ଲଭିବା ପରେ ଗ୍ରାମବାସୀମାନେ ସଦସ୍ୟ ତଥା ସଂଗଠନର ଉନ୍ନତି ଲାଗି ଆର୍ଶୀବାଦ କରିଛନ୍ତି। ପ୍ରକାଶ ଥାଉ କି ଏହିଭଳି ସମାନ କାର୍ଯ୍ୟକ୍ରମ ସଂଗଠନ ତରଫରୁ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ଧରକୋଟ, ପୋଲସରା, ଚିକିଟି, ପାତ୍ରପୁର ବ୍ଲକରେ ଆୟୋଜିତ ହୋଇସାରିଛି ଏବଂ ଆଗାମୀ ଦିନରେ ଗଞ୍ଜାମ, ଗଜପତି ଜିଲ୍ଲାର ଅନେକ ଅପହଞ୍ଚ ଅଞ୍ଚଳରେ ଆୟୋଜିତ କରିବାର ଲକ୍ଷ୍ୟ ରହିଛି। ଆପଣ କୁହନ୍ତୁ ଆମେ କଥା ରଖି ପାରିଛୁ।