ମାନସିକ ରୋଗୀଙ୍କୁ ଉଦ୍ଧାର କଲା ବିପଦର ବନ୍ଧୁ ଓଡିଶା ଅନୁଷ୍ଠାନ

ଭଞ୍ଜନଗର,୨୦/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ନିୟତିଙ୍କ ନିଷ୍ପତ୍ତି, ଭାଗ୍ୟର ବିଚାର, ନିଜ ଅସହାୟତାର ପୀଡନକୁ ନିଜ ଛାତିରେ ଜାବୁଡି ଧରି ମୁକ୍ତଆକାଶ ତଳେ ରାତ୍ରିଯାପନ କରୁଥିବା ଅସହାୟ ମାନଙ୍କ ଦୁଃଖର କାହାଣୀ ପ୍ରତ୍ୟେକ ଗୋଟିଏ ଗୋଟିଏ ଅଧ୍ୟାୟ। ଶୀତ ଏବଂ ବର୍ଷା ଋତୁ ଆଗମନରେ ସତେ ଯେପରି ପୀଡନର ପର୍ବତ ଲଦି ହୋଇପଡେ ସେମାନଙ୍କ ଅସହାୟ କାନ୍ଧ ଉପରେ। ବର୍ଷା,ଥଣ୍ଡା ପବନ ଯେତେବେଳେ ସେମାନଙ୍କ ଶରୀର ମନ ପ୍ରାଣକୁ ଭିଜାଇବା ଥରେଇ ଦିଏ । ନିରୁପାୟ ହୋଇ ଭାଗ୍ୟକୁ ଆଦରି ଅତି ବିପଦଶଙ୍କୁଳ ଅବସ୍ଥାରେ ଜୀବନ ଅତିବାହିତ କରିବାକୁ ବାଧ୍ୟ ହୁଅନ୍ତି। ସେହିପରି ଏହି ବିପଦ ସମୟରେ ଆଜି ଭଞ୍ଜନଗର ଅଞ୍ଚଳରେ ରହୁଥିବା ଅସହାୟ, ଅବହେଳିତ ଏବଂ କିଛି ମାନସିକ ବିକାରଗ୍ରସ୍ଥ ଲୋକଙ୍କ ପାଖରେ ପହଞ୍ଚିଥିଲେ ସମସ୍ତଙ୍କ ବିପଦରେ ଠିଆ ହୋଇପାରୁଥିବା ଭିନ୍ନ ଏକ ଅନୁଷ୍ଠାନ ବିପଦର ବନ୍ଧୁ, ଓଡ଼ିଶା ଭଞ୍ଜନଗର ଶାଖା ର ସଦସ୍ୟ ମାନେ। ମିଶନ ଆଶ୍ରା ଓ ବିପଦର ବନ୍ଧୁ ଓଡିଶା ଅନୁଷ୍ଠାନ ପକ୍ଷରୁ ମାନସିକ ବିକାର ଗ୍ରସ୍ତଙ୍କୁ ଉଦ୍ଧାର କାର୍ଯ୍ୟକ୍ରମ କରାଯାଇଥିଲେ। ଏଥିରେ ଭଞ୍ଜନଗର ସହର ର ସମସ୍ତ ସାହି ବସ ଷ୍ଟାଣ୍ଡ, ପରିବା ବଜାର, ମେନ ରୋଡ଼, ମେଡିକାଲ, ବାଉଁଶ ଲୁଣ୍ଡି ବ୍ୟତୀତ ମୁଜାଗଡ଼, ବେଲଗୁଣ୍ଠା, ମଙ୍ଗଳପୁର, ବାରୁଡ଼ା, କୁଲାଡ, ଗୋଲାପଡା ଏପରି ବିଭିନ୍ନ ସ୍ଥାନରୁ ପ୍ରାୟ ୧୫ରୁ ଉର୍ଦ୍ଧ ମାନସିକ ରୋଗୀ ମାନଙ୍କୁ ଉଦ୍ଧାର କରି ବସ ଯୋଗେ ବ୍ରହ୍ମପୁର ସ୍ଥିତ ମିଶନ ଆଶ୍ରା ଆଶ୍ରମ କୁ ପଠାଯାଇଛି। ସେଠି ସେମାନଙ୍କ ଉତ୍ତମ ଚିକିତ୍ସା ସହ ରହିବା ଖାଇବା ଓ ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟ ଅନୁଷ୍ଠାନ ଦ୍ୱାରା ମାଗଣା ରେ କରାଯିବ । ସୂଚନା ଥାଉ କି ପୂର୍ବରୁ ମଧ୍ୟ ବିପଦର ବନ୍ଧୁ ଅନୁଷ୍ଠାନ ପକ୍ଷରୁ ଏପରି ଉଦ୍ଧାର କାର୍ଯ୍ୟକ୍ରମ କରାଯାଇଥିଲା । ବର୍ତ୍ତମାନ ସେଥିରୁ ବହୁତ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରିଲେଣି। ଅନୁଷ୍ଠାନ ର ଏପରି କାର୍ଯ୍ୟ କୁ ବିଭିନ୍ନ ମହଲ ରେ ପ୍ରଶଂସା କରଯାଇଛି ।