ଦମ୍ପତିଙ୍କୁ ମାଉଜର୍ ଦେଖାଇ ଲୁଟ୍, ୩ ଗିରଫ

ବୁଗୁଡ଼ା ୨୫/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ବୁଗୁଡ଼ା ଥାନା ଗହଙ୍ଗୁ ରାସ୍ତା ବାଲିପଦର ପେଟ୍ରୋଲପମ୍ପ ନିକଟରେ ଗତକାଲି ସକାଳ ୯ଟାରେ କିଛି ଦୁର୍ବୁତ୍ତ ଦମ୍ପତିକୁ ମାଉଜର୍ ଦେଖାଇ ୧୦ ଗ୍ରାମ ଓଜନର ସୁନା ମଙ୍ଗଳସୂତ୍ର ଓ ୧. ୫ ଗ୍ରାମ ଓଜନର ଏକ ସୁନାହାର ନେଇଯାଇଥିଲେ।ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବାବେଳେ ତିନିଜଣ ଅଭିଯୁକ୍ତ ପ୍ରକାଶ ମାଳି, ରାଜା ପାତ୍ର ଓ ରୁଦ୍ର ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଛି।ଏହା ସହ ଚୋରି ସୁନାହାର ଏବଂ ଭଙ୍ଗା ମଙ୍ଗଳସୂତ୍ର ଉଦ୍ଧାର କରାଯାଇଛି।ଏନେଇ ବୁଗୁଡ଼ା ଥାନାଧିକାରୀ ସୀତାଂଶୁ ଶେଖର ମାନ୍ଧାତା ସୂଚନା ଦେଇଛନ୍ତି।ସୂଚନାନୁସାରେ,ନୟାଗଡ ଜିଲ୍ଲା ଓଡଗାଁର ମନୋଜ କୁମାର ପାତ୍ର ବାଇକ୍ ରେ ପତ୍ନୀ ସୋନାଲି ପାତ୍ର ଏବଂ ପୁତ୍ର ସ୍ୱସ୍ତିକ ପାତ୍ରକୁ ନେଇ ଶ୍ୱଶୁରଘର ଗୋଲାପଲ୍ଲୀ ଗ୍ରାମକୁ ଯାଇ ଫେରୁଥିଲେ। ଏହି ସମୟରେ ଦୁର୍ବୁତ୍ତମାନେ ସୋନାଲିଙ୍କୁ ମାଉଜର୍ ଦେଖାଇ ବେକରୁ ମଙ୍ଗଳସୂତ୍ର ଏବଂ ସୁନାହାର ଝାମ୍ପି ନେଇଥିଲେ।ଭାରସାମ୍ୟ ହରାଇ ବାଇକ ପଡିଯିବାରୁ ମନୋଜ, ସୋନାଲି ଓ ସ୍ୱସ୍ତିକ ଆହାତ ହୋଇଥିଲେ। ଏହାପରେ ଲୁଟେରାମାନେ ଚମ୍ପଟ ମାରିଥିଲେ।ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ କାବୁ କରିଛି।