ଭଞ୍ଜନଗର ଓ ଜଗନ୍ନାଥ ପ୍ରସାଦ କୋର୍ଟରେ ୧୪ ଜଣ ସରକାରୀ ଓକିଲ ନିଯୁକ୍ତି

ଭଞ୍ଜନଗର ୨୬/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭାଜପା କ୍ଷମତାକୁ ଆସିବା ପରେ ଗଞ୍ଜାମ ଜିଲାରେ ସରକାରୀ ଓକିଲ ତାଲିକା ତୁରନ୍ତ ବଦଳିବ ବୋଲି ଆଶା କରାଯାଉଥିଲା। କିନ୍ତୁ ବିଭିନ୍ନ କାରଣ ଯୋଗୁ ତାହା ବିଳମ୍ବ ହୋଇଥିଲା। ଶେଷରେ ଗୁରୁବାର ଗଞ୍ଜାମ ଜିଲାର ନୂଆ ସରକାରୀ ଓକିଲ ତାଲିକାକୁ ଆଇନ ବିଭାଗ ପକ୍ଷରୁ ଅନୁମୋଦନ ଦିଆଯାଇଛି। ଭଞ୍ଜନଗର ଓ ଜଗନ୍ନାଥପ୍ରସାଦର ବିଭିନ୍ନ କୋର୍ଟରେ ୧୪ ଜଣ ଆଇନଜୀବୀ ସରକାରୀ ଓକିଲ ଭାବେ ନିଯୁକ୍ତି ପାଇଛନ୍ତି। ସେମାନେ ହେଲେ ଭଞ୍ଜନଗର ଉପ ଜିଲାପାଳ କାର୍ଯ୍ୟାଳୟରେ ସହକାରୀ ପିପି ଭାବେ ବରିଷ୍ଠ ଆଇନଜୀବୀ ବିଜୟ କୁମାର ଗୌଡ ନିଯୁକ୍ତି ପାଇଛନ୍ତି। ସେହିଭଳି ଭଞ୍ଜନଗର ତହସିଲ କାର୍ଯ୍ୟାଳୟରେ ଆସିଷ୍ଟାଣ୍ଡ ପିପି ଭାବେ ସୁଧିର କୁମାର ଦାସ , ଜଗନ୍ନାଥପ୍ରସାଦ ତହସିଲରେ ଆସିଷ୍ଟାଣ୍ଡ ପିପି ଭାବେ ବିଜୟ ରଞ୍ଜନ ବେହେରା ନିଯୁକ୍ତି ପାଇଛନ୍ତି। ଏଥିସହ ଭଞ୍ଜନଗର ଏଡିଜେ କୋର୍ଟରେ ସ୍ପେସିଆଲ ପିପି ଭାବେ ଜ୍ଞାନେନ୍ଦ୍ର କୁମାର ନାୟକ, ହରେକୃଷ୍ଠ ମହାପାତ୍ର ଓ ସହକାରୀ ଓକିଲ ଭାବେ ବସନ୍ତ କୁମାର ଦାସ, ସିଭିଲ ଜଜ ସିନିୟର୍‌ ଡିଭିଜନ କୋର୍ଟ ରେ ଏଜିପି ଭାବେ ପ୍ରଭାକର ପାତ୍ର, ଏସ୍‌ ଡି ଜେଏମ୍‌ କୋର୍ଟ ରେ ଆସିଷ୍ଟାଣ୍ଟ ପିପି ଭାବେ ଅରୁଣ କୁମାର ପ୍ରଧାନ ଓ ଗିରିଜା ଶଙ୍କର ଭୂୟାଁ ଏବଂ ଜେ ଏମ୍‌ଏଫ୍‌ସି କୋର୍ଟରେ ଆସିଷ୍ଟାଣ୍ଟ ପି ପି ଭାବେ ମନୋଜ କୁମାର ପଟ୍ଟନାୟକ (ଏ) ଓ ଧବଳେଶର ମାଝୀ ନିଯୁକ୍ତି ପାଇଛନ୍ତି। ସେହିଭଳି ଜଗନ୍ନାଥପ୍ରସାଦ ଜେଏମ୍‌ଏଫ୍‌ସି କୋର୍ଟ ରେ ଏଜି ପି ଭାବେ ରଜତ କୁମାର ଦାଶ ନିଯୁକ୍ତି ପାଇଥିବା ବେଳେ ଆସିଷ୍ଟାଣ୍ଟ ପିପି ଭାବେ ଜନାର୍ଦ୍ଦନ ପ୍ରଧାନ ଓ ଅରୁଣ କୁମାର ବେହେରା ନିଯୁକ୍ତି ପାଇଛନ୍ତି।
ସୂଚନାଯୋଗ୍ୟ, ଭଞ୍ଜନଗର ଏସଡିଜେଏମ କୋର୍ଟରେ ଆସିଷ୍ଟାଣ୍ଟ ପିପି ଭାବେ ନିଯୁକ୍ତି ପାଇଥିବା ଅରୁଣ କୁମାର ପ୍ରଧାନ ଗତ ରବିବାର ନିଜ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ତେଣୁ ତାଙ୍କରି ସ୍ଥାନରେ ଆଗାମୀ ଦିନରେ ଆଉ ଜଣେ ନୂଆ ଆଇନଜୀବୀଙ୍କୁ ନିଯୁକ୍ତି ଦିଆଯିବା ସମ୍ଭାବନା ରହିଛି। ନବ ନିଯୁକ୍ତ ସରକାରୀ ଓକିଲମାନଙ୍କୁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଶୁଭେଚ୍ଛା ଜଣାଇଛନ୍ତି।