
ବେଲଗୁଣ୍ଠା/ ୨୭/୧୨ (ବିନାୟକ ଗୌଡ଼ , ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ପୋଲିସ ଥାନା ଅନ୍ତର୍ଗତ ଘୁ .ନୂଆଗାଁ ଶନି ମନ୍ଦିର ଓ ମା ବାରପାହାନ୍ତି ଠାକୁରାଣୀ ମନ୍ଦିର ସହିତ ଇନ୍ଦ୍ରଗଡ଼ ନୃସିଂହ ମନ୍ଦିରରୁ ଚୋରି ଘଟଣାରେ ବେଲଗୁଣ୍ଠା ପୋଲିସକୁ ସଫଳତା ମିଳିଛି । ଏହି ୩ଟି ମନ୍ଦିର ଚୋରି ଘଟଣାରେ ସମ୍ପୃକ୍ତ ୭ ଅଭିଯୁକ୍ତଙ୍କୁ ବେଲଗୁଣ୍ଠା ପୋଲିସ ଗିରଫ କରିବା ସହ ଚୋରି ହୋଇଥିବ ରୁପା ଅଳଙ୍କାରର ତରଳା ଯାଇଥିବା ୧୪ଟି ରୁପା ଖଣ୍ଡ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ କିଛି ଅଜଣା ଦୁର୍ବୁତ୍ତ ବେଲଗୁଣ୍ଠା ନିକଟ ଘୁ.ନୂଆଗାଁ ଶନି ମନ୍ଦିର ଓ ମା ବାରପାହାନ୍ତି ଠାକୁରାଣୀ ମନ୍ଦିରର ତାଲା ଭାଙ୍ଗି ମନ୍ଦିରରେ ପ୍ରବେଶ କରିବା ସହ ମନ୍ଦିରର ବିଦ୍ୟୁତ ସରବରାହ ବିଛିନ୍ନ କରି ମା ବାରପାହାନ୍ତି ଠାକୁରାଣୀଙ୍କ ରୁପା ଅଳଙ୍କାର ସହ ନିକଟରେ ଥିବା ଶନି ମହାପ୍ରଭୁଙ୍କ ମନ୍ଦିରରୁ ରୁପା ସାମଗ୍ରୀ ସହିତ ମ୍ୟୁଜିକ ଡ଼େକ ମେସିନ ଏବଂ ପାଣି ମୋଟର ଚୋରି ହୋଇଥିବା ନେଇ ମନ୍ଦିରର ପରିଚାଳନା କମିଟିର ଆକୁଳାନନ୍ଦ ସାହୁ ଓ ଅନ୍ୟ ସଦସ୍ୟ ମାନେ ବେଲଗୁଣ୍ଠା ପୋଲିସ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ବେଲଗୁଣ୍ଠା ପୋଲିସ ଥାନାରେ ୬୦୦/୨୦୨୫ରେ ଏକ ମାମଲା ରୁଜୁକରି ଏହାର ତଦନ୍ତ କରି ଘଟଣାର ତଦନ୍ତ ବେଳେ ପୋଲିସ କମିଟି ସଦସ୍ୟ ଓ ଉପଲବ୍ଧ ସାକ୍ଷୀଙ୍କ ବୟାନ ରେକର୍ଡ଼ କରିବା ସହ ଅନୁସନ୍ଧାନ ଆରମ୍ଭ କରିଥିଲା । ତଦନ୍ତ ବେଳେ କିଛି ସୂଚନା ଆଧାରରେ କିଛି ଦୁର୍ବୁତ୍ତଙ୍କୁ ଆଣି ପଚରାଉଚରା କରିବା ପରେ ଘଟଣାର ପର୍ଦାଫାଶ ହୋଇଥିଲା । ପୋଲିସ ଚୋରି ଘଟଣାରେ ସମ୍ପୃକ୍ତ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ କାବୁ କରିବା ସହ ଦୁର୍ବୁତ୍ତ ମାନେ ଦୁଇ ମନ୍ଦିରରୁ ଚୋରି କରିଥିବା ରୁପା ଅଳଙ୍କାରକୁ ତରଳାଇ ଦେଇ ରଖି ଥିବା ୧୪ଟି ରୁପା ଖଣ୍ଡ , ଗୋଟିଏ ପାଣି ମୋଟର ପମ୍ପ ସେଟ,ଗୋଟିଏ ମ୍ୟୁଜିକ ଡ଼େକ ମେସିନ , ଚୋରିରେ ବ୍ୟବହୃତ ଦୁଇଟି ସ୍କୁଟିକୁ ପୋଲିସ ଜବତ କରିଛି । ଚୋରିରେ ସମୃକ୍ତ ଥିବା ବେଲଗୁଣ୍ଠା ଥାନା ଇନ୍ଦ୍ରଗଡ଼ ଗ୍ରାମର ଆକାଶ ସ୍ୱାଇଁ (୨୪), ଗାଙ୍ଗପୁର ଥାନା ଚାଟୁଳା ଗ୍ରାମର ଶୁଭମ ସ୍ୱାଇଁ (୨୦) ଓ ଦେବାଶିଷ ଖଟାଇ ଓରଫ ଗୁଡ଼ଲୁ(୧୯), ଏବଂ ଗାଙ୍ଗପୁର ଥାନା ଖୁଖୁଣ୍ଡିଆ ଗ୍ରାମର ଶିବରାମ ନାୟକକୁ ପୋଲିସ ଗିରଫ କରି ଭଞ୍ଜନଗର ମାନ୍ୟବର ଏସଡ଼ିଜେଏମଙ୍କ କୋର୍ଟରେ ହାଜର କରିଛି । ସେହିଁଭଳି ଏହି ଥାନା ଅନ୍ତର୍ଗତ ଇନ୍ଦ୍ରଗଡ଼ ଗ୍ରାମ ନୃସିଂହ ମନ୍ଦିରରେ ଗତ ନଭେମ୍ବର ମାସରେ ଦାନ ହୁଣ୍ଡି ଭାଙ୍ଗି ଟଙ୍କା ଚୋରି କରିବା ଘଟଣାରେ ମନ୍ଦିର କମିଟିର ପ୍ରଶାନ୍ତ କୁମାର ଗୌଡ଼ ଅଭିଯୋଗ ପରେ ଏଥିନେଇ ୫୩୫/୨୫ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଶୁକ୍ରବାର ଦିନ ଏହି ମନ୍ଦିର ଚୋରି ଘଟଣା ସହିତ ଜଡ଼ିତ ବେଲଗୁଣ୍ଠା ଥାନା ଇନ୍ଦ୍ରଗଡ଼ ଗ୍ରାମର ଅଜୟ ପୋଲାଇ, ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା ମାଇଁନ୍ଦପୁର ଗ୍ରାମର କପିଳାସ ଭୋଇ ଏବଂ ରଞ୍ଜନ କୁମାର ଭୋଇକୁ ଗିରଫ କରି ଭଞ୍ଜନଗର ମାନ୍ୟବର ଏସଡ଼ିଜେଏମଙ୍କ କୋର୍ଟକୁ ଚାଲାଣ କରାଯାଇଥିବା ଥାନା ଅଧିକାରିଣୀ ରେବତୀ ଶବର ସୂଚନା ଦେଇଛନ୍ତି ।