
ଚୌଦ୍ୱାର (ଶିବବ୍ରତ ଦାସ) ଯାତ୍ରା ରେ ଅଶ୍ଳୀଳ ନୃତ୍ୟ ପରିବେଷଣ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ State human rights council ଓଡ଼ିଶା ପକ୍ଷରୁ ଚୌଦ୍ୱାର ଥାନାଧିକାରୀଙ୍କ ମାଧ୍ୟମରେ ପୋଲିସ ମହାନିର୍ଦ୍ଦେଶକ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ରାଜ୍ୟରେ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ ହେଉଥିବା ଦୃଶ୍ୟ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଦେଖିବାକୁ ମିଳୁଛି।ନିକଟରେ ପଡୋଶୀ ରାଜ୍ୟ ଛତିଶଗଡ଼ରେ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ ପାଇଁ ଛତିଶଗଡ ସରକାର ଉପଜିଲ୍ଲାପାଳ, ପୋଲିସ କର୍ମଚାରୀଙ୍କ ସମେତ ଯାତ୍ରା ଆୟୋଜକ ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଓଡ଼ିଶାରେ ସେଇଭଳି ଅଶ୍ଳୀଳ ନୃତ୍ୟ ପରିବେଷଣ କରୁଥିବା ଆୟୋଜକ ଏବଂ ନୃତ୍ୟଶିଳ୍ପୀ ମାନଙ୍କ ଉପରେ ପୋଲିସ ମହାନିର୍ଦ୍ଦେଶକ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଷ୍ଟେଟ ହ୍ୟୁମାନ ରାଇଟ କାଉନସିଲର ସଦସ୍ୟମାନେ ଦାବି କରିଛନ୍ତି। ରାଜ୍ୟ ସଭାପତି ଶ୍ରୀମତୀ ସସ୍ମିତା ଦାସଙ୍କ ନେତୃତ୍ବରେ ସମ୍ପାଦକ ନାରାୟଣ ବିଶ୍ୱାଳ, ଉପସଭାପତି ସଞ୍ଜିତ କୁମାର ମହାନ୍ତି, ସବିତା ଦାସ, ସଚିତ୍ରାନନ୍ଦ ରାଉତ, ଶିବାୟ ସାହୁ, ପରୀକ୍ଷିତ ଲେଙ୍କା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।