
ଭୁବନେଶ୍ୱର / ଭଞ୍ଜନଗର ୨୧/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ବିଜେପି ଓବିସି ମୋର୍ଚ୍ଚାର ନୂତନ ରାଜ୍ୟ ସଭାପତି ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ଭୁବନେଶ୍ୱର ଠାରେ ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ଶ୍ରୀ ନାୟକ କହିଛନ୍ତି ଯେ ଓବିସି ମୋର୍ଚ୍ଚାର ଯେଉଁ ସବୁ ଦାବି ରହିଛି, ତାହା କିପରି ବିଧାନସଭା ଓ ଦିଲ୍ଲୀ ଦରବାରରେ ପହଞ୍ଚିବ ସେଥିପାଇଁ ଆମ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ପଡ଼ିବ । ଓବିସି ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ସୁରଥ ବିଶ୍ଵାଳ କହିଥିଲେ ଯେ ଭାରତୀୟ ଜନତା ପାର୍ଟି ଓବିସି ମୋର୍ଚ୍ଚା ଗଠନ କରିବା ପରଠାରୁ ଏହି ସଂଗଠନ ରାଜ୍ୟର ବିଭିନ୍ନ ଓବିସି ବର୍ଗର ମୁଖିଆଙ୍କୁ ଭେଟି ସାମାଜିକ ନ୍ୟାୟ ପାଇଁ ଅନେକ କାର୍ଯ୍ୟକ୍ରମ ଓ ଆନ୍ଦୋଳନ କରିଛି । ତତ୍କାଳୀନ ସରକାର ଓବିସିଙ୍କ ପ୍ରତି ଅନେକ ଅବହେଳା କରିଥିଲା। ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଓବିସି ବର୍ଗଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । ଓବିସି ବର୍ଗଙ୍କ ସାମ୍ବିଧାନିକ ଅଧିକାର ପାଇଁ ଏଭଳି ପ୍ରୟାସ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଶ୍ରୀ ବିଶ୍ଵାଳ କହିଛନ୍ତି।
ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଇଂ. ଜ୍ଞାନେନ୍ଦ୍ର ସ୍ବାଇଁ ମୋର୍ଚାର ବିଗତ ୫ ବର୍ଷ ର ବିବରଣୀ ପ୍ରଦାନ କରିବା ସହ ସଭା ସଂଚାଳନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଓବିସି ମୋର୍ଚ୍ଚା ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦୁଷ୍ମନ୍ତ ଦାସ, ପୂର୍ବତନ ରାଜ୍ୟ ଉପସଭାପତି ସୁବାସ ଜେନା, କଟକ ଜିଲ୍ଲା ସଭାପତି ସୁକାନ୍ତ ବିଶ୍ଵାଳ ଉପସ୍ଥିତ ଥିଲେ।