ସୋରଡ଼ା ଥାନା ଅଧିକାରୀଙ୍କ ମହାନତା; ଦୁର୍ଘଟଣା ରେ ଆହତଙ୍କ ଚିକିତ୍ସା କଲେ

ଭଞ୍ଜନଗର,୨୩/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ)- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସୋରଡ଼ା ମୁଖ୍ୟ ରାସ୍ତାର ଲାଠୀପଡ଼ା ଠାରେ ଶୁକ୍ରବାର ରାତିରେ ଏକ ବାଇକ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ତତାବାଲି ଗ୍ରାମର ନାରାୟଣ ନାୟକ ଗୁରୁତର ଭାବେ ଆହତ ହୋଇଥିଲେ। ଏହି ସମୟରେ ସେହି ରାସ୍ତାରେ ପାଟ୍ରୋଲିଂ କରୁଥିବା ସୋରଡ଼ା ଥାନା ଅଧିକାରୀ ସୁନୀଲ ପ୍ରଧାନ ଆହତଙ୍କୁ ଦେଖିବା ପରେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ମେଡିକାଲ ଆଣିଥିଲେ। ଏଠାରେ ଆହତଙ୍କ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଘଟଣାରୁ ପ୍ରକାଶ ଯେ ତତାବାଲି ଗ୍ରାମର ନାରାୟଣ ନାୟକ ଆଜି ସଂନ୍ଧ୍ୟାରେ ନିଜ ବଡ ଭଉଣୀ ଘର ବେଲଗୁଣ୍ଠା ଥାନା ଅନ୍ତର୍ଗତ ବରଗାଁ କୁ ନିଜ ବାଇକ୍ ଯୋଗେ ଯାଉଥିଲେ। ଏହି ସମୟରେ ଲାଠିପଡ଼ା ନିକଟରେ ନାରାୟଣ ଗାଡିରୁ ଭାରସାମ୍ୟ ହରାଇବାରୁ ଗାଡି ଦୁର୍ଘଟଣା ହୋଇଥିଲା ।