
ଭଞ୍ଜନଗର ୨୪/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ରାଧାକୃଷ୍ଣ, ବାଉଁଶଲୁଣ୍ଡି , ଭଞ୍ଜନଗର ତରଫରୁ ଭଞ୍ଜଜୟନ୍ତୀ ପାଳନ ଅବସରରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପଦ୍ମ ଚରଣ ପ୍ରଧାନଙ୍କ ସଭାପତିତ୍ବରେ ଆଲୋଚନା ସଭା ତା -୨୩-୦୧-୨୬ ରିଖ ଅପରାହ୍ନ ଘ. ୨.୩୦ ମି. ସମୟେ ପାଠାଗାରରେ ଅନୁଷ୍ଠିତ ହୋଇଯାଇଛି । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଫଟୋଚିତ୍ରରେ ଅତିଥିମାନଙ୍କ ଦ୍ଵାରା ପୁଷ୍ପମାଲ୍ୟାର୍ପଣ କାର୍ଯ୍ୟ ପରେ ଆନନ୍ଦ ସଂଗୀତାୟନର ଗୁରୁ ଅଶୋକ କୁମାର ମହାପାତ୍ର ଭଞ୍ଜ ସଂଗୀତାବୃତ୍ତି କରିଥିଲେ। ମୁଖ୍ୟ ଅତିଥି ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ବୈଦ୍ୟନାଥ ପ୍ରଧାନ ଉପେନ୍ଦ୍ର ଭଞ୍ଜଙ୍କ ଶବ୍ଦ ସଂଯୋଜନା ଓ ସାଂଗୀତିକ ମୂଲ୍ୟବୋଧ ଯୋଗୁଁ ତାଙ୍କର ରଚନା ସର୍ବଦା ଜନ ଆଦୃତ ହୋଇ ରହିଛି ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ । ସମ୍ମାନୀୟ ଅତିଥି ସାମ୍ବାଦିକ ଦିଲୀପ କୁମାର ପଗଡ, ମୁଖ୍ୟବକ୍ତା ନିରଞ୍ଜନ ପ୍ରଧାନ, ସଂପାଦକ ଭଞ୍ଜ କିଶୋର ପ୍ରଧାନ ଓ ଛାତ୍ର ବାଦଲ ପ୍ରଧାନ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟରେ ଥିବା ବିଭିନ୍ନ ରାଗ ,ରସ, ପଦ ଲାଳିତ୍ୟ, ସାମାଜିକ ମୂଲ୍ୟବୋଧ ଓ କାବ୍ୟଶୈଳୀ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମର ୨ୟ ଅଧିବେଶନରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ ଅବସରରେ "ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ସାମ୍ରାଜ୍ୟବାଦ ବିରୋଧୀ ସଂଗ୍ରାମ ଓ ଆଜିର ପରିସ୍ଥିତି" ପ୍ରସଙ୍ଗ ଭିତ୍ତିକ ଆଲୋଚନା ସଭା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନିରଂଜନ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ସୁବାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରେ ପଠନରତ ବାଉଁଶଲୁଣ୍ଡିର ଛାତ୍ର ବାଦଲ ପ୍ରଧାନ ଯୁକ୍ତଦୁଇ ପରୀକ୍ଷାରେ ସର୍ବୋଚ୍ଚ ନମ୍ୱରରଖି କୃତକାର୍ଯ୍ୟ ହୋଇଥିବାରୁ ଅତିଥିମାନଙ୍କ ଦ୍ଵାରା ପାଠାଗାର ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷୟତ୍ରୀ ସଂଗୀତା ପଣ୍ଡାଙ୍କ ହିନ୍ଦୀ ଅନୁବାଦିତ ଝରଣା, ଅନୋଖା ରିସ୍ତା ଓ ସ୍ବରଚିତ କବିତା ପୁସ୍ତକ " କହିବା କାହାକୁ ଶୁଣିବ କିଏ " କୁ ଅତିଥି ମାନଙ୍କଦ୍ଵାରା ଉନ୍ମୋଚିତ ହୋଇଥିଲା । ମୁଖ୍ୟ ଅତିଥି ବରିଷ୍ଠ ଆଇନଜୀବୀ ତଥା ଭଞ୍ଜନଗର ଓକିଲ ସଂଘର ସଭାପତି ଲକ୍ଷ୍ମୀକାନ୍ତ ମହାପାତ୍ର ନେତାଜୀଙ୍କ ଆହ୍ୱାନ " ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧିନତା ଦେବି" କୁ ସାମଞ୍ଜସ୍ୟ ରଖି କହିଥିଲେ ଆଜି ପ୍ରତ୍ୟେକ ବ୍ୟକ୍ତି ସମୟଦିଅ ଓ ଦେଶଗଠନରେ ସହାୟ ହୁଅ। ବର୍ତ୍ତମାନ ଧାନବିକ୍ରି କରିବାରେ ମଣ୍ଡିରେ ହେଉଥିବା ଅସୁବିଧା ଉପରେ ଆଲୋକପାତ କରି ଥିଲେ । ସମ୍ମାନିତ ଅତିଥି ଉମାବଲ୍ଲଭ ପାଟ୍ଟଯୋଶୀ ରଥଶର୍ମା, ଅଧ୍ୟାପକ ଇଂରାଜୀ ବିଭାଗ ବକ୍ତବ୍ୟରେ ବୀର ସୁରେନ୍ଦ୍ର ସାଏଙ୍କ ଉପନିବେଶବାଦୀ ଇଂରାଜୀ ମାନଙ୍କ ବିରୁଦ୍ଧରେ ଚଳାଇଥିବା ଗରିଲା ଯୁଦ୍ଧ କୌଶଳ ସମ୍ପର୍କରେ ବର୍ଣ୍ଣନା କରିବା ସହିତ ସପରିବାରେ ସ୍ୱାଧିନତା ସଂଗ୍ରାମରେ ଜୀବନ ଉତ୍ସର୍ଗ କରିଥିବା ବୀରତ୍ବକୁ ପ୍ରଶଂସା କରିଥିଲେ। ମୁଖ୍ୟବକ୍ତା କେନ୍ଦୁପଦର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟାପକ ଡ଼. ସନ୍ତୋଷ କୁମାର ଆପଟ ବକ୍ତବ୍ୟ ରେ କହିଥିଲେ ଯେ ୧୯୨୦ ମସିହାରେ ସର୍ବୋଚ୍ଚ ପ୍ରଶାସନିକ ସମ୍ମାନଜନକ ଆ. ସି. ଏସ. ପଦବୀକୁ ତ୍ୟାଗକରି ଦେଶ ମାତୃକାର ସେବା ପାଇଁ ମହାତ୍ମା ଗାନ୍ଧୀଙ୍କ ଆହ୍ୱାନକୁ ସମ୍ମାନ ଦେଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜାତୀୟ କଂଗ୍ରେସରେ ଯୋଗଦେଇଥିଲେ। ଏହା ପରେ ପଶ୍ଚିମବଙ୍ଗରେ ଦେଶବନ୍ଧୁ ଚିତ୍ତରଂଜନ ଦାସଙ୍କ ସହ ଆନ୍ଦୋଳନରେ ସାମିଲ ହୋଇ ପଶ୍ଚିମବଙ୍ଗର କଂଗ୍ରେସ ସଭାପତି ଓ କଲିକତା ସହରର ମେୟର ରୂପେ ନିର୍ବାଚିତ ହୋଇ ଅନେକ ଜନହିତକର କାର୍ଯ୍ୟ କରିଥିଲେ ବୋଲି ପ୍ରକାଶ କରିଥିଲେ । ୧୯୩୭ ମସିହାରେ ଜାତୀୟ କଂଗ୍ରେସର ସଭାପତି ନିର୍ବାଚିତ ହୋଇ ଭାରତବର୍ଷର ଶିକ୍ଷା , କୃଷି ଓ ଶିଳ୍ପର ବିକାଶ ପାଇଁ ଯୋଜନା କମିଟିର ପରିକଳ୍ପନା କରିବା ସହିତ ବ୍ରିଟିଶ୍ ସାମ୍ରାଜ୍ୟବାଦରୁ ଦେଶକୁ ମୁକ୍ତ କରିବା ପାଇଁ ଜାପାନ, ଜର୍ମାନୀ ଓ ଇଟାଲୀର ସହଯୋଗରେ ଆଜାଦ ହିନ୍ଦ୍ ଫୈଜ ନାମକ ଏକ ସୈନ୍ୟବାହିନୀ ଗଠନ କରି ସଶସ୍ତ ସଂଗ୍ରାମରେ ନିଜକୁ ଉତ୍ସର୍ଗ କରିଥିଲେ।
ବରିଷ୍ଠ ଆଇନଜୀବୀ ଅଭିମନ୍ୟୁ ଗୌଡ଼ , ସାମ୍ବାଦିକ ଦିଲୀପ ପଗଡ , ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପଦ୍ମଚରଣ ପ୍ରଧାନ , ଅବସରପ୍ରାପ୍ତ ଶିକ୍ଷକ ପ୍ରସନ୍ନ କୁମାର ପ୍ରଧାନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଉକ୍ତକାର୍ଯ୍ୟ କ୍ରମରେ ଯୁବକଂଗ୍ରେସ ନେତା ସୁକାନ୍ତ ଦିଗାଲ , ହୃଦାନନ୍ଦ ସାହୁ , ତାରେଣୀ ନାଇକ , କୃଷ୍ଣ ନାଇକ , ଛାତ୍ର ଉତ୍ତମ ପ୍ରଧାନ, ଆମ୍ବେଦକରବାଦୀ ସୁଧୀର ନାଇକ , ଶୁକୁ ଶବର, ଦାସ ଗମାଙ୍ଗ, ଶିକ୍ଷୟତ୍ରୀ ରିତା କୁମାରୀ ଭୂୟାଁ, ସଂଗୀତା ପଣ୍ଡା , ଶିକ୍ଷକ ପଞ୍ଚାନନ ସାହୁ, ଆଇନଜୀବୀ ରଂଜିତ କୁମାର ତ୍ରିପାଠୀ, ମୀନକେତନ ପ୍ରଧାନ , ପ୍ରମୋଦ ତାରିଣୀ,ରବୀନ୍ଦ୍ର ତାରିଣୀ ସମେତ ବହୁ ମହିଳା ଯୋଗଦାନ କରିଥିଲେ ।
ସମ୍ପାଦକ ଭଞ୍ଜ କିଶୋର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ ।