
ଭଞ୍ଜନଗର ୨୫/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): କାହାର ବସଷ୍ଟାଣ୍ଡ ତ ଆଉ କାହାର ବସ୍, ପାର୍କ ଓ ବିଭିନ୍ନ ଜନଗହଳିପୁର୍ଣି ସ୍ଥାନରେ ମୋବାଇଲ ହଜିଥିଲା। ହଜିଲା ଫୋନ୍ ଆଉ ମିଳିବ ବୋଲି ସେମାନଙ୍କ ଆଶା ବି ନଥିଲା। ହେଲେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ପୁଲିସ୍ ସ୍ବତନ୍ତ୍ର ଅଭିଯାନ ସହ ହଜିଲା ଫୋନ୍ କେବଳ ଉଦ୍ଧାର କରିନି, ବରଂ ଅସଲ ମାଲିକଙ୍କୁ ହସ୍ତାନ୍ତର କରିଛି। ଥାନା ପରିସରରେ ରବିବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗୋଟିଏ କି ଦୁଇଟି ନୁହଁ, ହଜି ଯାଇଥିବା ୩୩ଟି ମୋବାଇଲ୍ ଖୋଜି ପ୍ରକୃତ ମାଲିକଙ୍କୁ ପୋଲିସ ଫେରାଇଛି। ଦିର୍ଘ ଦିନ ପରେ ମୋବାଇଲ ପାଇ ଲୋକଙ୍କ ମୁହଁରେ ହସ ଫୁଟିଛି।
ରବିବାର ଥାନା ପରିସରରେ ଏହି ମୋବାଇଲ୍ ହସ୍ତାନ୍ତର ମେଳା ଅନୁଷ୍ଠିତ ହୋଇଥିଲା ବେଳେ ଏସଡିପିଓ ଡ. ଦିପକ କୁମାର ମିଶ୍ର, ଥାନା ଅଧିକାରୀ ଜିବନାନନ୍ଦ ଜେନା ଉଦ୍ଧାର ହୋଇଥିବା ମୋବାଇଲ୍ ର ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିଛନ୍ତି।ବିଶେଷକରି ପାର୍କ,ବସଷ୍ଟାଣ୍ଡ ସମେତ ସହରର ବିଭିନ୍ନ ଜନଗହଳିପୁର୍ଣ୍ଣ ସ୍ଥାନରେ ଉକ୍ତ ମୋବାଇଲ ଗୁଡିକ ହଜିଥିଲା ବେଳେ ଭଞ୍ଜନଗର ପୁଲିସ୍ ପକ୍ଷରୁ ଆରମ୍ଭ ହୋଇଥିଲା ଏକ ସ୍ବତନ୍ତ୍ର ଅଭିଯାନ। ହଜିଥିବା ମୋବାଇଲ ମାଲିକଙ୍କ ଅଭିଯୋଗକୁ ଗୁରୁତ୍ବର ସହ ନେଇ ସିଇଆଇଆର୍ ସହାୟତାରେ ୩୩ ଟି ମୋବାଇଲ୍ ଉଦ୍ଧାର କରିଥିଲା ପୁଲିସ। ରବିବାର ଉଦ୍ଧାର ହୋଇଥିବା ସମସ୍ତ ମୋବାଇଲ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି। ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ। ଆଗକୁ ଏହି ଅଭିଯାନ ଜାରି ରହିବ ବୋଲି ଏସଡିପିଓ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।ଭଞ୍ଜନଗର ପୁଲିସ୍ର ଏହି ଅଭିଯାନକୁ ସମସ୍ତେ ପ୍ରଶଂସା କରିବା ସହ ଲୋକଙ୍କ ଫୋନ୍ ଉଦ୍ଧାର କରି ହସ୍ତାନ୍ତର କରିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ହଜିଲା ଫୋନ୍ ପାଇ ପୁଲିସ୍ର ଉଦ୍ୟମକୁ ସାଧୁବାଦ ଦେବା ସହ ଅଭିଯୋଗକାରୀ ମାନେ ଖୁସି ପ୍ରକଟ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଥାନା ଏ ଏସ ଆଈ ବିଦେଶୀ ବେହେରା ଉପସ୍ଥିତ ଥିଲେ।