
ପୁରୁଷୋତ୍ତମପୁର ୨୬/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସ୍ଥିତ ନରସିଂହ ଦାଶ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ମହା ଆଡ଼ମ୍ବରରେ ବ୍ଲକ୍ ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କମିଟିର ଆବାହକ ପ୍ରଫୁଲ୍ଲ କୁମାର ରଥଙ୍କ ଆୟୋଜନ ଏବଂ ସ୍ଥାନୀୟ ତହସିଲଦାର ବିନୋଦ କୁମାର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୂଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ପାତ୍ର, ମୂଖ୍ୟ ବକ୍ତା ଭାବେ ଉପଖଣ୍ଡ ଥାନା ଅଧିକାରୀ ସୁଜିତ୍ କୁମାର ନାୟକ ଏବଂ ସମ୍ମାନିତ ଅତିଥି ଭାବେ ବ୍ଲକ୍ ଚେୟାରମେନ ପିଙ୍କି ବେହେରା, ଏନ୍ଏସି ଚେୟାରମେନ କୃଷ୍ଣ ଚନ୍ଦ୍ର ପଣ୍ଡା ଓ ଅବସର ପ୍ରାପ୍ତ ଶିକ୍ଷକ ଏ. ରାଜୁ ଗୋପାଳ ରାଓ ଯୋଗଦେଇଥିଲେ। ପ୍ରଥମେ ଜାତୀୟ ପତାକା ଉତ୍ତୋଳନ କରି ସାମୁହିକ ରାଷ୍ଟ୍ର ଗାନ କରାଯାଇଥିଲା ଏବଂ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଏନ. ସି. ସି. , ସ୍କାଉଟ ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଏକ ପ୍ୟାରେଡ୍ ପ୍ରଦର୍ଶନ କରାଯାଇଥିଲା। ଏହାପରେ ଏନ୍ଏସି ଚେୟାରମେନ ତାଙ୍କ ବକ୍ତବ୍ୟରେ ଏହି ଆୟୋଜନକୁ ଭୂୟସୀ ପ୍ରଶଂସା କରି ଆଗାମୀ ଦିନରେ ଏହାକୁ ଆହୁରି ବୃହତ୍ ଭାବରେ କରାଯିବା ପାଇଁ ଆଶା ପ୍ରକାଶ କରିଥିଲେ। ମୂଖ୍ୟ ବକ୍ତା ସୁଜିତ୍ କୁମାର ନାୟକ ଗଣତନ୍ତ୍ର ଦିବସର ମହତ୍ତ୍ୱ ଓ ଏହା ପାଳନର ଉଦ୍ଦେଶ୍ୟ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ବିସ୍ତୃତ ଭାବରେ ବୁଝାଇଥିଲେ।
ସଭାପତି ବିନୋଦ କୁମାର ବେହେରା ତାଙ୍କ ଉଦବୋଧନରେ ଗଣତନ୍ତ୍ର ଦିବସର ଐତିହାସିକ ମହତ୍ତ୍ୱ ବ୍ୟାଖ୍ୟା କରି ସମସ୍ତଙ୍କୁ ଦେଶ ପ୍ରତି କର୍ତ୍ତବ୍ୟବୋଧ ନିଭାଇବା ପାଇଁ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ବ୍ଲକର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ହସ୍ତରେ ମାନପତ୍ର ଓ ସିଲ୍ ପ୍ରଦାନ କରାଯାଇଥିଲା।
ପରିଶେଷରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଦେଶଭକ୍ତିମୂଳକ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକମାନଙ୍କୁ ମନମୋହିତ କରିଥିଲେ, ଯାହା ସମଗ୍ର ପରିବେଶକୁ ଦେଶଭକ୍ତିର ରଙ୍ଗରେ ରଙ୍ଗାଇ ଦେଇଥିଲା।