
ଭଞ୍ଜନଗର ୩୧/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗର ୨୧ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି। ଏଥିସହ ସେମାନଙ୍କ ଠାରୁ ୧୦୬୬ଟି ମୋବାଇଲ, ୧୨୭୫ଟି ବ୍ୟାଟେରି, ୪୨୪ ଫୋନର ମଦର୍ ବୋର୍ଡ, ୫ଟି ଟାବଲେଟ,୧୧ଟି ମୋଟର ସାଇକେଲ, ୯ ଟି ଗାଡି ନମ୍ବର ପ୍ଲେଟ ସହ ନକଲି ଗହଣା ଏବଂ ପ୍ରାୟ ୧୦ ହଜାର ଟଙ୍କା ଜବତ କରାଯାଇଛି।ଗିରଫ ପରେ ଜୟନ୍ତ ମଣ୍ଡଳ, ରବ୍ୟୁଲ ମଲ୍ଲ, ଅମ୍ରିତ ହଲଦାର, ରମିନ୍ ହଲଦାର, ଶୁଭଜିତ୍ ମଣ୍ଡଳ, ଅଞ୍ଜନ ହଲଦାର, କିଶୋର ହଲଦାର, ମିଲନ୍ ମଣ୍ଡଳ, ଅମ୍ରିତା ଦାସ, ପଲାସା ସରକାର, ପ୍ରଦୀପ ହଲଦ୍ରାଫ୍, ମୁକ୍ତାର ଶେଖ୍, ଚନ୍ଦ୍ରଜିତ୍ ମଣ୍ଡଳ, ବିପୁଲ ହଲଦ୍ରାଫ୍, ନିଖିଲ୍ ପାଲ, ରଞ୍ଜନ ଦାସ, ପ୍ରଶନଜିତ୍ ଦାସ, ସୁଦିପ ପାଲ, ଅମଜାଦ ଶେଖ୍, ରୋଷକୁଲ ମଲ୍ଲଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ସମସ୍ତ ଅଭିଯୁକ୍ତଙ୍କ ଘର ପଶ୍ଚିମବଙ୍ଗର ବୋଲି ଜଣାପଡିଛି। ଏନେଇ ଶନିବାର ଭଞ୍ଜନଗର ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ ସୂଚନା ଦେଇଛନ୍ତି।
ଏହି ଅଭିଯୁକ୍ତମାନଙ୍କର ବିଦେଶ ଲିଙ୍କ୍ ଅଛି କି ନାହିଁ ତାହାର ଖୋଳତାଡ଼ ହେବ ବୋଲି ଏସ୍ଡିପିଓ ଡ. ଦୀପକ କୁମାର ମିଶ୍ର କହିଛନ୍ତି। ଏଥିସହ ଭଙ୍ଗା ମୋବାଇଲ କାହାକୁ ବିକ୍ରି କରନ୍ତୁ ନାହିଁ। ମୋବାଇଲ ଖରାପ ହୋଇଗଲେ ତାହାକୁ ନଷ୍ଟ କରିଦିଅନ୍ତୁ। ବୁଲା ବ୍ୟବସାୟୀକୁ ବିକ୍ରି କରନ୍ତୁ ନାହିଁ। ସେମାନେ ତାହାକୁ ନେଇ କୌଣସି ବେନିୟମ କାର୍ଯ୍ୟରେ ଲଗାଇବା ସମ୍ଭାବନା ଅଛି ବୋଲି ଏସ୍ଡିପିଓ ଶ୍ରୀ ମିଶ୍ର କହିଛନ୍ତି।
ସୁଚନାନୁସାରେ,ଶୁକ୍ରବାର ସକାଳ ସମୟରେ ଥାନା ଅଧିକାରୀ ଜିବନାନନ୍ଦ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ସମୀର କୁମାର ସେଠୀ ଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ସହର ଉପକଣ୍ଠ ବାଉଁଶଲୁଣ୍ଡି ଅଞ୍ଚଳରେ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ ଭଞ୍ଜନଗର ସହରର ବାଟା କୋଲନିର ଏକ ଭଡା ଘରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍ ରହି ଭଞ୍ଜନଗର, ବେଲଗୁଣ୍ଠା, ତାରସିଂ ସହ ଜିଲ୍ଲାର ଅନ୍ୟ ଥାନା ଅଞ୍ଚଳରେ ଚୋରି କରିବା ପାଇଁ ଅପରେଟ୍ କରୁଥିବା ଖବର ପାଇଥିଲେ। ପରେ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ଅବିନାଶ ମହାର ଙ୍କ ଉପସ୍ଥିତରେ ଉକ୍ତ ଘରେ ଚଢାଉ କରି ସମସ୍ତଙ୍କୁ କାବୁ କରାଯାଇଥିଲା। ଏହା ସହ ସେମାନଙ୍କ ନିକଟରୁ ବିପୁଳ ମୋବାଇଲ ଫୋନ, ନକଲି ଅଳଙ୍କାର ଓ ବାଇକ୍ ଜବତ କରାଯାଇଥିଲା। ଅଭିଯୁକ୍ତମାନଙ୍କ ଠାରୁ ଜବତ ହୋଇଥିବା ମୋବାଇଲର କାଗଜପତ୍ର ସେମାନେ ଦେଖାଇ ପାରି ନ ଥିଲେ। ଜବତ ହୋଇଥିବା ମୋବାଇଲଗୁଡ଼ିକୁ ଆଗାମୀ ଦିନରେ ତାହାର ଅସଲ ମାଲିକମାନଙ୍କୁ ଫେରାଇବା ପାଇଁ ଥାନା ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ଭଞ୍ଜନଗର ଥାନାରେ ୯୨/୨୬ ରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।
ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ଜୀବନାନନ୍ଦ ଜେନା, ଏସ୍ଆଇ ସମୀର କୁମାର ସେଠୀ, ଲକ୍ଷ୍ମୀଧର ମହାନ୍ତି, ଲିପିନା ବିଶ୍ୱାଳ, ଜ୍ୟୋତ୍ସ୍ନାମୟୀ ସାହୁ, ଏଏସ୍ଆଇ ବିଦେଶୀ ବେହେରା, ସତ୍ୟନାରାୟଣ ମଲ୍ଲିକ, ରୁଦ୍ର ପ୍ରସାଦ କହର, କନଷ୍ଟେବଳ ସନ୍ତୋଷ କୁମାର ନାୟକ, ଅମିତ୍ କୁମାର ବିଶ୍ବାଳ, ନରେଶ ଶବର, ଗୃହରକ୍ଷୀ ଗଜେନ୍ଦ୍ର ସାଇଁ ପ୍ରମୁଖ ଉପସ୍ଥିତ ଥିଲେ।