ସମୀର ନାୟକରୁ ସମିରା ମାଡାମ; ଅସ୍ତ୍ରୋପଚାର କରି ପୁଅରୁ ଝିଅ ହେଲେ ଅଧ୍ୟାପିକା

ଖଲ୍ଲିକୋଟ ୦୩/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ପୁରୁଷ ଦେହ ଭିତରେ ଲୁଚି ରହିଥିଲା ନାରୀର ମନ। ଆଉ କେତେଦିନ ସମାଜକୁ ଲୁଚାଇଥାନ୍ତେ ଓ ନିଜକୁ ନିଜେ ଠକି ଚାଲିଥାନ୍ତେ। ତେଣୁ ଅସ୍ତ୍ରପଚାର କରି ପୁଅରୁ ଝିଅ ହୋଇଗଲେ। ସମୀର ନାୟକରୁ ବନିଗଲେ ସମିରା ମାଡାମ। ଓଡିଶାର ପ୍ରଥମ ଟ୍ରାନ୍ସ ଓମେନ ଆର୍ଟିଷ୍ଟ ସମିରା ନାୟକ ଏବେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଇଣ୍ଡିଆନ ପେଣ୍ଟି ବିଭାଗରେ ଅତିଥି ଅଧ୍ୟାପିକା ଭାବେ କାର୍ଯ୍ୟାରତ। ସମୀରଙ୍କ ସମିରା ପର୍ଯ୍ୟନ୍ତ ଯାତ୍ରା ବହୁ ଝଡ଼ଝଞ୍ଜାଭରା। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକର ଗୋଟିଏ ଛୋଟିଆ ଗାଁ ରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ନେଇଥିଲେ ସମୀର। ପୁଅଟିଏ ହୋଇ ଜନ୍ମ ହୋଇଥିଲେ ସତ କିନ୍ତୁ ପାଠପଢ଼ା ବୟସରେ ଆସିଥିଲା ମନ ଭିତରେ ଅନେକ ପରିବର୍ତନ। ବୟସ ବଢ଼ିବା ସାଙ୍ଗକୁ ମନ ଚାଲିଚାଳଣରେ ଫରକ ବାରି ହୋଇପଡ଼ିଥିଲା। ପୁଅ ସାଙ୍ଗଙ୍କ ଅପେକ୍ଷା ଝିଅମାନଙ୍କ ସହ ଅଧିକ ମିଳାମିଶା କରୁଥିଲେ। ପୁଅ ଶରୀର ଭିତରେ ସେ ରୁନ୍ଧି ହୋଇଯାଉଥିଲେ। ତେଣୁ ୨୦୨୩ରେ ପାଠ ପଢ଼ିବା ସାରିବାପରେ ଲିଙ୍ଗପରିବର୍ତନ କରିବାକୁ ନିଷ୍ପତି ନେଇଥିଲେ।ମୁମ୍ବାଇରେ ବ୍ୟୟବହୁଳ ଅସ୍ତ୍ରପଚାର କରି ନିଜର ଲିଙ୍ଗ ପରିବର୍ତନ କରିଥିଲେ। କିଛି ଦିନ ତଳେ ପୁଅରୁ ଝିଅ ହୋଇଥିବା ସମିରା ବର୍ତମାନ ଖଲ୍ଲିକୋଟ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଇଣ୍ଡିଆନ ପେଣ୍ଟି ବିଭାଗରେ ଅତିଥି ଅଧ୍ୟାପିକା। ଏକାଦା ସେହି ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମିରା ଆଜି ସେହି କଲେଜରେ ଅତିଥି ଅଧ୍ୟାପିକା ଭାବେ ନିଯୁକ୍ତି ହୋଇଥିବାରୁ ଛାତ୍ରଛାତ୍ରୀ ଅଧ୍ୟାପକ ଓ ଅଧ୍ୟାପିକା ବେଶ ଖୁସୀ ଓ ଗର୍ବ ଅନୁଭବ କରୁଛନ୍ତି। ଅପରପକ୍ଷ୍ୟରେ ବର୍ତମାନ ସାରା ଓଡିଶାର ପ୍ରଥମ ଟ୍ରାନ୍ସ ଓମେନ ଆର୍ଟିଷ୍ଟ ଭାବରେ ନିଜକୁ ଗର୍ବ ଅନୁଭବ କରନ୍ତି। ଆଗକୁ ଚିତ୍ରକଳା କ୍ଷେତ୍ରରେ ଓଡିଶାର ଟେକ ରଖିବାକୁ ଲକ୍ଷ ରଖିଛନ୍ତି ବୋଲି ସମିରା କହିଛନ୍ତି।