ବେଆଇନ ଇଟା ଭାଟି ଉପରେ ପ୍ରଶାସନର ବୁଲଡୋଜର: ୩ ଲକ୍ଷ ଇଟା ନଷ୍ଟ

​ବେଲଗୁଣ୍ଠା ୦୪/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି): ପରିବେଶ ସୁରକ୍ଷା ପାଇଁ ସରକାରଙ୍କ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ବଡ଼ବୋର୍ସିଂ ଏବଂ ଖାରିଗୁଡା ଅଞ୍ଚଳରେ ଚାଲିଥିବା ବେଆଇନ ମାଟି ଇଟା ଭାଟି ଉପରେ ପ୍ରଶାସନ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି।ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସରକାରୀ ନିୟମକୁ ଉଲ୍ଲଂଘନ କରି କାଠ ପୋଡ଼ି ଇଟା ପ୍ରସ୍ତୁତ କରାଯାଉଥିବାରୁ ଜେସିବି ସାହାଯ୍ୟରେ ପ୍ରାୟ ୩ ଲକ୍ଷ ଇଟାକୁ ନଷ୍ଟ କରାଯାଇଛି। ଏହି ଚଢ଼ାଉରେ ଅତିରିକ୍ତ ତହସିଲଦାର କବିରାଜ ସେଠୀ, ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ, ରାଜସ୍ୱ ନୀରିକ୍ଷକ ଗୌରୀ ଶଙ୍କର ସ୍ୱାଇଁ ଓ ପୋଲିସ ବାହିନୀ ସାମିଲ ଥିଲେ। ଜଳବାୟୁ ପରିବର୍ତ୍ତନ ଓ ପ୍ରଦୂଷଣ ରୋକିବା ପାଇଁ ଏହି କଟକଣା ଜାରି କରାଯାଇଛି। ଆଗାମୀ ଦିନରେ ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଆହୁରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର କଳାକୃଷ୍ଣ ପ୍ରଧାନ ପ୍ରକାଶ କରିଛନ୍ତି । ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ପ୍ରଶାସନର ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।