ସାମାନ୍ୟ ବଚସା ରୁ ଫାଷ୍ଟଫୁଡ୍ ଦୋକାନୀକୁ ହତ୍ୟା, ଜଣେ ଅଟକ

ଭଞ୍ଜନଗର ୦୪/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ସହର ଇଣ୍ଡିଆନ ଗ୍ୟାସ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ରାତି ପ୍ରାୟ ୯ ଟା ସମୟରେ ଜଣେ ଫାଷ୍ଟଫୁଡ୍ ଦୋକାନୀ ଙ୍କୁ ହତ୍ୟା କରାଯାଇଛି। ମୃତ ଯୁବକ ଜଣକ ବଡକୋଦଣ୍ଡା ଗ୍ରାମର ହରେକୃଷ୍ଣ ସାଇଁ (୩୮)।ଏନେଇ ଏଇ ହତ୍ୟା ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି।

ସୁଚନାନୁସାରେ, ମଙ୍ଗଳବାର ରାତି ପ୍ରାୟ ୯ ଟା ସମୟରେ ହରେକୃଷ୍ଣ ତାଙ୍କ ଦୋକାନ ପଡିସା ଛିଡା ହୋଇଥିବା ବେଳେ କୌଣସି କାରଣକୁ ନେଇ ଅନ୍ୟ ଜଣେ ଯୁବକ ଆସି ତାଙ୍କ ସହ ବଚସା କରିଥିଲେ ଓ ଆକ୍ରମଣ କରିଥିଲେ ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି। ଫଳରେ ଘଟଣାସ୍ଥଳରେ ହିଁ ସେ ଗୁରୁତର ହୋଇପଡ଼ିଥିଲେ। ହରେକୃଷ୍ଣ ଙ୍କୁ ତାଙ୍କ ପରିବାର ଲୋକ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ ଆଣିଥିଲେ।ହେଲେ ମେଡ଼ିକାଲରେ ଡାକ୍ତର ହରେକୃଷ୍ଣଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ସାଇଣ୍ଟିଫିକ୍ ଟିମ୍ ସହାୟତା ରେ ଘଟଣାର ଛାନଭିନ୍ କରିବା ସହ ଜଣକୁ ଅଟକ ରଖି ପଚରାଉଚରା କରୁଛି। ବୁଧବାର ମୃତ ଦେହର ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସେ କେଉଁଭଳି କେଉଁ ପରିସ୍ଥିତିରେ ମୃତ୍ୟୁବରଣ କଲେ ସେନେଇ ସଠିକ ଭାବେ ଜଣାପଡ଼ିବ।