ଛତିଶଗଡ଼ ସୀମାନ୍ତରେ ଘୁରିବୁଲୁଛି ବାଘ ଲୋକେ ଆତଙ୍କିତ

ନୂଆପଡ଼ା (ପରମେଶ୍ୱର ମେହେର, ନୂଆପଡ଼ା ଜିଲ୍ଲା ପ୍ରତିନିଧି): ନୂଆପଡ଼ା ଜିଲ୍ଲା ସୀନାପାଲି ବ୍ଲକ ଅନ୍ତର୍ଗତ ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ବାଘ ଘୁରୁଥିବା ଖବର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ପରିବେଶ ସୃଷ୍ଟି ହୋଇଛି। ନୂଆମାଲପଡ଼ା ପଞ୍ଚାୟତର ବଣପାହାଡ଼ ଘେରା ଡଙ୍ଗରଗାଁ ନିକଟରେ କିଛି ଲୋକ ବାଘକୁ ଦେଖି ଭୟଭୀତ ଅବସ୍ଥାରେ ଦୌଡ଼ି ପଳାଇଥିବା ଜଣାପଡ଼ିଛି। ଉକ୍ତ ଅଞ୍ଚଳ ଘଞ୍ଚ ଜଙ୍ଗଲରେ ଘେରାଯାଇଥିବା ବେଳେ ଛତିଶଗଡ଼ର ସୀତାନଦୀ ଅଭୟାରଣ୍ୟ ଅନ୍ତର୍ଗତ ଉଦନ୍ତୀ ବ୍ୟାଘ୍ର ଅଭୟାରଣ୍ୟ ସହ ସଂଲଗ୍ନ ରହିଛି। ଏହା ସହ ଘାଟମାଳ ଓ ନଙ୍ଗଲବୋର୍ଡ ପଞ୍ଚାୟତ ମଧ୍ୟ ସୀମାନ୍ତ ଅଞ୍ଚଳରେ ଥିବା ସହ ସୁନାବେଡ଼ା ଅଭୟାରଣ୍ୟ ସହିତ ସଂଲଗ୍ନ ରହିଛି। ଏହି କାରଣରୁ ବାଘ ଯେକୌଣସି ସମୟରେ ଗାଁ ଗଣ୍ଡାକୁ ପ୍ରବେଶ କରିବାର ଆଶଙ୍କା ରହିଛି। ସନ୍ଧ୍ୟା ପରେ ଲୋକେ ବାହାରକୁ ଯିବାକୁ ଭୟ କରୁଥିବା ବେଳେ, ବନ ବିଭାଗ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି। ନଙ୍ଗଲବୋର୍ଡ ବିଟ ଫରେଷ୍ଟର କନ୍ଦର୍ପ ସୁନାନୀ କହିଛନ୍ତି ଯେ, ବନ୍ୟପ୍ରାଣୀଙ୍କ ଉପରେ ସ୍ୱତନ୍ତ୍ର ନଜର ରଖାଯାଉଛି ଏବଂ ଲୋକେ ଅନାବଶ୍ୟକ ଭୟଭୀତ ହେବା ଦରକାର ନାହିଁ।
ତଥାପି, ପୂର୍ବରୁ ଜିଲ୍ଲାରେ ଘଟିଥିବା କିଛି ଅଘଟଣକୁ ଦୃଷ୍ଟିରେ ରଖି ବନ ବିଭାଗର ଅଧିକ ସତର୍କତା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।