
ଭଞ୍ଜନଗର ୦୮/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଆମ ରାଜ୍ୟର ଅନେକ ଦାଦନ ପେଟ ଚିନ୍ତାରେ ବାହାର ରାଜ୍ୟରେ ଦାଦନ ଖଟୁଥିବା ବେଳେ ପଡ଼ୋଶୀ ରାଜ୍ୟର ଅନେକ ବଞ୍ଜରା ଓ ଛୋଟ ଛୋଟ ବ୍ୟବସାୟୀ ଓଡ଼ିଶାରେ ମଧ୍ୟ ବାସ କରୁଛନ୍ତି। ଓଡ଼ିଶା ମଧ୍ୟ ତାଙ୍କୁ କୋଳାଇ ନେଇଛି। ଗତ କିଛିମାସ ହେଲା ଭଞ୍ଜନଗରର ବିଭିନ୍ନ ସ୍ଥାନରେ ବାହାର ରାଜ୍ୟରୁ ଆସିଥିବା କିଛି କମାରଙ୍କୁ ଦେଖୁବାକୁ ମିଳୁଛି।ପେଟ ଚିନ୍ତା ଏମାନଙ୍କୁ ଓଡ଼ିଶା ମାଟିକୁ ଟାଣି ଆଣିଛି। ଲୁହା ବାଡ଼େଇ ଏମାନଙ୍କ ଲୁହ ଝରୁଛି, ତଥାପି ପେଟ ଚିନ୍ତାରେ ପିଲାଛୁଆ ଧରି ରାସ୍ତା କଡ଼ରେ ପଡ଼ି ରହିଛନ୍ତି।
ଓଡ଼ିଶା ସଂଲଗ୍ନ ଅନେକ ରାଜ୍ୟର ବିଭିନ୍ନ କୌଳିକ ବୃତ୍ତି କୁ ଆପଣାଇଥିବା ପରିବାର ଆମ ରାଜ୍ୟକୁ ସେମାନଙ୍କ ରୋଜଗାର ପନ୍ଥା ରୂପେ ପସନ୍ଦ କରିଆସୁଛନ୍ତି। ସେମାନଙ୍କ ମଧ୍ୟରେ କମାର ଶ୍ରେଣୀୟ ଲୋକଙ୍କୁ ଉଦାହରଣ ସ୍ବରୂପ ନିଆଯାଇପାରେ। ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟ ବୁଲି ଜୀବନ ଅତିବାହିତ କରୁଥିବା କମାର ମାନେ, ବୃତ୍ତି କୁ ବଞ୍ଚାଇ ରଖି ପରିବାର ଭରଣପୋଷଣ କରୁଥିବା ଦେଖିବାକୁ ମିଳିଛି। ମଧ୍ୟପ୍ରଦେଶର କୁରେଶ୍ବର ଧାମ ଅଞ୍ଚଳରୁ ଆସିଥିବା କିଛି ପରିବାର ଶୀତ କାକରରେ ଜିଲୁଣ୍ଡି, ବାଉଁଶଲୁଣ୍ଡି, ବେଲଗୁଣ୍ଠା, ସୋରଡ଼ା ସମେତ ଉପଖଣ୍ଡର ବିଭିନ୍ନ ସ୍ଥାନରେ ସ୍ଥାୟୀ ପ୍ଲାଷ୍ଟିକ ପାଲରେ ତମ୍ବୁ କରି ସପରିବାର ରହୁଥିବାର ଦୃଶ୍ୟ ଏଠାରେ ଦେଖିବାକୁ ମିଳିଛି। ଏହି ତମ୍ବୁ ସମ୍ମୁଖରେ ସମସ୍ତେ ଗୋଟିଏ ଲେଖାଏଁ କମାରଶାଳ ତିଆରି କରି ସ୍ଥାନୀୟ ଲୋକମାନଙ୍କର ଆବଶ୍ୟକୀୟ ତାୱା, କଡେଇ, ଝାଜରା,ହେମଦସ୍ତା,କୋଦାଳ ଓ ଅନ୍ୟାନ୍ୟ ଚାହିଦା ମୁତାବକ ସାମଗ୍ରୀକୁ ତିଆରି କରି ବିକ୍ରି କରୁଛନ୍ତି। ପ୍ରତ୍ୟେକ ସାମଗ୍ରୀ ତିଆରି କରିବାରେ ସ୍ବାମୀ, ସ୍ତ୍ରୀ ଓ ଛୁଆ ସମସ୍ତେ ଏହି କାର୍ଯ୍ୟରେ ଲିପ୍ତ ରହିଛନ୍ତି। ପ୍ରଥମେ ସେମାନେ ଦା,ହାତୁଡ଼ି, କୁରାଢୀ ଆଦି ତିଆରି କରି ବିକ୍ରୀ କରୁଥିଲେ। କିନ୍ତୁ ଏଥିରେ ପାରିଶ୍ରମିକ ଅନୁସାରେ ସଠିକ ମଜୁରୀ ନ ମିଳିବା ଯୋଗୁଁ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଥିଲା ବୋଲି କମାର ରାହୁଲ ପ୍ରକାଶ କରିଥିଲେ।
ପିଢିପିଢି ଧରି ଏହି କର୍ମକାରମାନେ ପାରମ୍ପାରିକ ବୃତ୍ତିକୁ ନିଜର କରିନେଇଥିଲେ ମଧ୍ୟ ଏଥିରେ ସେମାନଙ୍କ ଅର୍ଥନୀତିର ଉନ୍ନତି ହେଉନଥିବାର କହିଛନ୍ତି କମାରମାନେ । ସେଠାରେ ନିଜସ୍ବ ଚାଷ ଜମି ମଧ୍ଯ ନାହିଁ I କୁଟୁମ୍ୱ ପୋଷିବା ଲାଗି ଦିପାବଳୀ ଅମାବାସ୍ୟାରେ ଗାଁ ଛାଡ଼ି ରାଜ୍ୟ ଓ ରାଜ୍ୟ ବାହାରେ ବୁଲି ବୁଲି କମାର କାର୍ଯ୍ୟ କରିଥା’ନ୍ତି । ପୁନଶ୍ଚ ହୋଲି ଉତ୍ସବ ସମୟରେ ନିଜର ଗ୍ରାମଞ୍ଚଳକୁ ଫେରିଯା’ନ୍ତି। ତେବେ ତାଙ୍କ ରାଜ୍ୟର ସ୍ଥାନୀୟ ସରକାର ଯଦି ଏମାନଙ୍କ ଦୁଃଖ ବୁଝି ଚାଷ ଜମି ସହ ଅନ୍ୟାନ୍ୟ ସାହାଯ୍ୟ କରନ୍ତେ ତେବେ ଏହି ବୃତ୍ତି କୁ ଜୀବିତ ରଖି ହେବ ବୋଲି କମାରମାନେ ପ୍ରକାଶ କରିଛନ୍ତି। ତେବେ ଏଠାରେ ମୁଖ୍ୟ ପ୍ରଶ୍ନ ଏହିକି ଯେ,କେନ୍ଦ୍ର ସରକାର ସମସ୍ତ କର୍ମଜିବୀ ମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ଯୋଜନା ପ୍ରଣୟନ କରିଥିବା ବେଳେ କଣ ପାଇଁ ଦେଶାନ୍ତର ହେଉଥିବା ଏହି ଯାଯାବର ଶ୍ରମିକ ଏମିତି ଦୁର୍ଦ୍ଦଶା ଭୋଗୁଛନ୍ତି ତାହା ବର୍ତ୍ତମାନର ତର୍ଜମା କରିବାର ସମୟ ବୋଲି ଚର୍ଚ୍ଚା ଜୋର ଧରିଛି।