
ବେଲଗୁଣ୍ଠା (ଅମରେନ୍ଦ୍ର କୁମାର ପଟ୍ଟନାୟକ/ ବିନାୟକ ଗୌଡ଼): ଗଞ୍ଜାମ ଜିଲା ବେଲଗୁଣ୍ଠା ତହସିଲ କାର୍ଯ୍ୟାଳୟରେ ଗୁରୁବାର ଅପରାହ୍ନ ସମୟରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଜଣେ ବାଲି ବ୍ୟବସାୟଙ୍କ ବାଲି ଗାଡ଼ି ଛାଡ଼ିବା ପାଇଁ ରସିଦ୍ ଠାରୁ ଅଧିକ ଟଙ୍କା ମାଗି ନେଇଥିବା ଅଭିଯୋଗରେ ଅତିରିକ୍ତ ତହସିଲଦାର କବିରାଜ ସେଠୀ ଙ୍କ ସମେତ ଆଉ ୩ ଜଣ ରାଜସ୍ୱ ନିରୀକ୍ଷକଙ୍କୁ ଭିଜିଲାନ୍ସ ଟିମ୍ ତଦନ୍ତ ପାଇଁ ବ୍ରହ୍ମପୁର ନେଇଯାଇଛି ।
ଘଟଣାରୁ ପ୍ରକାଶ ଯେ ଘୁ. ନୂଆଗାଁ ନଦୀରୁ ଧୂମୁଛାଇର ଜଣେ ଟ୍ରାକ୍ଟର ଗାଡି ମାଲିକ ବେନିୟମ ଭାବେ ବାଲି ଉଠାଇ ନେଉଥିଲେ । ଏନେଇ ରାଜସ୍ୱ ବିଭାଗ କର୍ମଚାରୀମାନେ ଟ୍ରାକ୍ଟରକୁ ଜବତ କରି ନେବାସହ ଏନେଇ ୩୦ ହଜାର ଟଙ୍କା ଜୋରିମାନା ପକାଇଥିଲେ ଏବଂ ଜରିମାନା ଅର୍ଥ ଠାରୁ ଅଧିକ ଟଙ୍କା ଟ୍ରାକ୍ଟର ମାଲିକଙ୍କୁ ଦାବି କରିଥିଲେ। ଫଳରେ ଟ୍ରାକ୍ଟର ମାଲିକ ବ୍ରହ୍ମପୁର ଭିଜିଲାନ୍ସ ଏସପି ଙ୍କ ସହ ଯୋଗାଯୋଗ କରିଥିଲେ।
ଏହାପରେ ଗୁରୁବାର ପୂର୍ବ ଯୋଜନା ପ୍ରକାରେ ଟ୍ରାକ୍ଟର ମାଲିକ ରାଜସ୍ୱ ବିଭାଗ କର୍ମଚାରୀଙ୍କୁ ୪୦ ହଜାର ଟଙ୍କା ଜୋରିମାନା ଦେଇଥିଲେ । କିନ୍ତୁ ରାଜସ୍ବ ବିଭାଗ କର୍ମଚାରୀ ତାଙ୍କୁ ୩୦ ହଜାର ଟଙ୍କାର ରସିଦ ଦେଇଥିଲେ । ଏହି ସମୟରେ ସେଠାରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ଜଣେ କର୍ମଚାରୀଙ୍କ ଠାରୁ ଉକ୍ତ ଟଙ୍କା ଜବତ କରିଥିଲେ। ଏଥିସହ ଏହି ମାମଲାରେ ଅତିରିକ୍ତ ତହସିଲଦାର କବିରାଜ ସେଠୀଙ୍କ ସମେତ ଗୋବରା, ପାଇଲିପଡ଼ା, ବେଲଗୁଣ୍ଠା ରାଜସ୍ୱ ନିରୀକ୍ଷକ ଜଡ଼ିତ ଥିବା ଆଶଙ୍କାରେ ସେମାନଙ୍କୁ ଭିଜିଲାନ୍ସ ଟିମ୍ ଉଠାଇ ନେଇଥିବା ସୂଚନା ରହିଛି ।