
ଚୌଦ୍ୱାର (ଶିବବ୍ରତ ଦାସ )ଚୌଦ୍ୱାର ବିଜେଡି ରେ ଏବେ ଗୋଷ୍ଠୀ ଦେଖିବାକୁ ମିଳୁଥିବା ବେଳେ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ମାତ୍ର କିଛି ଦିନ ବିଜେପି ଶାସନରେ ଆସିବା ପରେ ଚୌଦ୍ୱାର ବିଜେଡି ଶିବିର ମଧ୍ୟରେ ଏହି ଦଳଦ୍ୱନ୍ଦ୍ୱ ଆହୁରି ତୀବ୍ର ହୋଇଛି। ଦଳର ପାରିଷଦ ମାନଙ୍କ ମଧ୍ୟରେ ଏକତା ଅଭାବ ଓ ନେତୃତ୍ୱ ସଙ୍କଟ ଏବେ ଚର୍ଚ୍ଚାର ବିଷୟ। ଚୌଦ୍ୱାର କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ ଏହି କନ୍ଦଳ ଶାନ୍ତ କରିବା ପାଇଁ ଥର୍ମାଲ ରୋଡ଼ ସ୍ଥିତ ଏକ ଆଶ୍ରମରେ ବୈଠକ ଡାକିଥିଲେ। ସମସ୍ତ ପାରିଷଦଙ୍କୁ ଆମନ୍ତ୍ରଣ ଦିଆଯାଇଥିଲା, କିନ୍ତୁ ଅତ୍ୟନ୍ତ କମ୍ ସଂଖ୍ୟକ ପାରିଷଦ ବିଳମ୍ବରେ ଉପସ୍ଥିତ ହୋଇଥିଲେ। ଏଥିପାଇଁ ପୂର୍ବତନ ବିଧାୟକ ଅସନ୍ତୋଷ ପ୍ରକାଶ କରି ସ୍ଥାନ ଛାଡ଼ିଥିବା ଜଣା ପଡିଛି। ଏହି ସମୟରେ ପୌର ଅଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ ଓ ପୌର ଉପାଧ୍ୟକ୍ଷ ଙ୍କ ମଧ୍ୟରେ କ୍ଷମତାକୁ ନେଇ ଶୀତଳ ଯୁଦ୍ଧ ଦୀର୍ଘ ଦିନରୁ ଚାଲିଥିବା ଚର୍ଚ୍ଚା ହେଉଛି। ମାନସୀଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ସକ୍ରିୟ ଭୂମିକା ଏବେ ବିରୋଧୀ ମାନଙ୍କୁ ଅସହ୍ୟ କରି ପକାଇଥିବା ସାଧାରଣ ରେ ଚର୍ଚ୍ଚା ହେଉଛି। ପୁନର୍ବାର ଡାକାଯାଇଥିବା ବୈଠକରେ ମଧ୍ୟ ତର୍କ ବିତର୍କ ହୋଇଥିଲା। ମାନସୀ ସ୍ୱର୍ଣ୍ଣପ୍ରଭାଙ୍କୁ କିଛି ନେତା ଓ ପାରିଷଦ କଠୋର ଭାଷାରେ ସମାଲୋଚନା କରିଥିଲେ, ଯାହା ଫଳରେ ସେ ମନୋ ବିଷାଦରେ ପଡ଼ିଥିଲେ। ପରେ ପ୍ରାକ୍ତନ ବିଧାୟକ ପ୍ରଭାତ ବିଶ୍ୱାଳ ସେଠାରେ ପରିସ୍ଥିତି ଶାନ୍ତ କରିଥିବା ଜଣାପଡିଛି। ଏହି ପରିସ୍ଥିତିରେ ସବୁଠୁ ବଡ଼ ପ୍ରଶ୍ନ ୨୪ ବର୍ଷ ଧରି ଓଡ଼ିଶାରେ ଶାସନ କରିଥିବା ବିଜେଡି ଚୌଦ୍ୱାରରେ ନିଜସ୍ୱ ଏକ ସ୍ଥାୟୀ କାର୍ଯ୍ୟାଳୟ ମଧ୍ୟ ସ୍ଥାପନ କରିପାରିଲା ନାହିଁ। ଦୀର୍ଘ ଶାସନ ସତ୍ୱେ ଦଳୀୟ ଗଠନକୁ ମଜବୁତ କରିବାରେ ଅସମର୍ଥତା ଆଜିର ଗୋଷ୍ଠୀ କନ୍ଦଳର ମୂଳ କାରଣ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଅନ୍ୟପଟେ, ପୌର ଅଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ ନିଜ କାର୍ଯ୍ୟଦକ୍ଷତା ଓ ଲୋକସମ୍ପର୍କ ମାଧ୍ୟମରେ ସାଧାରଣ ଲୋକଙ୍କ ମଧ୍ୟରେ ପରିଚିତ ମୁହଁ ହୋଇଉଠିଛନ୍ତି। ସ୍ୱଚ୍ଛତା, ମୌଳିକ ସୁବିଧା ଓ ନାଗରିକ ସମସ୍ୟା ସମାଧାନରେ ତାଙ୍କ ଉଦ୍ୟମ ପ୍ରଶଂସା ପାଇଛି। ଏହି ଲୋକପ୍ରିୟତାକୁ ନେଇ ଦଳ ଭିତରେ ଅସନ୍ତୋଷ ସୃଷ୍ଟି ହୋଇଥିବା ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚା ହେଉଛି। ସମସ୍ତ ଘଟଣା ପରେ ଏବେ ପ୍ରଶ୍ନ ଉଠୁଛି ଚୌଦ୍ୱାର ବିଜେଡି କି ନେତୃତ୍ୱ ବିହୀନ ହୋଇପଡ଼ିଛି? ନା ପୂର୍ବତନ ବିଧାୟକଙ୍କ କଥା ଯଦି ଦଳୀୟ କର୍ମୀମାନେ ମାନୁନାହାନ୍ତି, ତେବେ ଆଗାମୀ ଦିନରେ ଦଳର ଭବିଷ୍ୟତ କେଉଁ ଦିଗକୁ ଯିବ? ବୁଦ୍ଧିଜୀବୀମାନେ କହୁଛନ୍ତି, ଯଦି ଏହି ଗୋଷ୍ଠୀ କନ୍ଦଳ ଶୀଘ୍ର ସମାଧାନ ନ ହୁଏ, ତେବେ ଦଳୀୟ ସଂଗଠନ ଆହୁରି ଦୁର୍ବଳ ହେବ। ଏହି ପରିସ୍ଥିତିରେ ମାନସୀ ସ୍ୱର୍ଣ୍ଣପ୍ରଭାଙ୍କ ଭୂମିକା ଓ ନେତୃତ୍ୱ ଦଳ ପାଇଁ ନୂଆ ଆଶା ହୋଇପାରେ। ଚୌଦ୍ୱାରର ରାଜନୀତି ଏବେ ଏକ ସଙ୍କଟ କାଳୀନ ମୋଡ଼ରେ! ଏକତା ନା କନ୍ଦଳ।