
ବୁଗୁଡ଼ା ,୨୯/୦୨(ସୋରେନ କୁମାର ପ୍ରଧାନ): ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡ଼ା ବନାଞ୍ଚଳ ପକ୍ଷରୁ ଏକ ବନାଞ୍ଚଳ ସ୍ତରୀୟ ‘ଜଙ୍ଗଲ ନିଆଁ ପ୍ରତିରୋଧ ସଚେତନତା ଶିବିର’ ସ୍ଥାନୀୟ ବାଘୁଆ ସ୍ଥାୟୀ ଚାରା ଉତ୍ପାଦନ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି।ବୁଗୁଡ଼ା ବନାଞ୍ଚଳ ଅଧିକାରୀ ମାନସ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଘୁମୁସର ଦକ୍ଷିଣ ବନଖଣ୍ଡ ସହକାରୀ ବନସଂରକ୍ଷକ ପ୍ରଦୀପ କୁମାର ବେହେରା,ଆଇ.ଏଫ.ଏସ (ପ୍ରୋଭିଜନ) ଲୋବ୍ଧି ଜୈନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ସେହି ପରି ସମ୍ମାନିତ ଅତିଥି ଭାବେ ପରିବେଶବିତ୍ ଗଙ୍ଗାଧର ବିଷୋୟୀ, ବିଭୂତିଭୂଷଣ ମିଶ୍ର, ଗୌରୀ ଶଙ୍କର ମିଶ୍ର ଏବଂ ବି. ଗୋପାଳ ପାତ୍ର ପ୍ରମୁଖ ମଞ୍ଚାଶିନ ଥିଲେ।ଉକ୍ତ ଶିବିରରେ ଅତିଥିମାନେ ଜଙ୍ଗଲ ନିଆଁ ଦ୍ୱାରା ପରିବେଶ ଓ ଜୈବ ବିବିଧତା ଉପରେ ପଡ଼ୁଥିବା କୁପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ। ଗ୍ରୀଷ୍ମ ଋତୁ ପୂର୍ବରୁ ଜଙ୍ଗଲକୁ ନିଆଁ କବଳରୁ ରକ୍ଷା କରିବା ପାଇଁ ଜନସାଧାରଣଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ। ବାଘୁଆ ଜଳଭଣ୍ଡାର ନିକଟସ୍ଥ ବାଘୁଆ ଚାରା ଉତ୍ପାଦନ କେନ୍ଦ୍ରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବନ ସୁରକ୍ଷା ସମିତିର ସଦସ୍ୟ ଏବଂ ସ୍ଥାନୀୟ ଗ୍ରାମବାସୀମାନଙ୍କୁ ଜଙ୍ଗଲ ନିଆଁ ନ ଲଗାଇବାକୁ ଶପଥ ପାଠ କରାଯାଇଥିଲା। ବୁଗୁଡ଼ା ବନାଞ୍ଚଳର ସମସ୍ତ ବନରକ୍ଷୀ ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।