
ଚୌଦ୍ୱାର (ଶିବବ୍ରତ ଦାସ )ଟାଙ୍ଗୀ ଅଞ୍ଚଳକୁ ଯାତାୟାତ ନାଡିରେ ଯୋଡ଼ା ହୋଇଥିବା “ମେଣ୍ଢାଖାଇ ପୋଲ” ଆଜି କେବଳ ଏକ ଅଧୂରା ଢାଞ୍ଚା ନୁହେଁ, ବରଂ ରାଜନୈତିକ ଅବହେଳା ଓ ନିର୍ବାଚନୀ ଆଶ୍ୱାସନର ଜୀବନ୍ତ ପ୍ରତୀକ ହୋଇ ଚାହିଁରହିଛି। ବର୍ଷ ପରେ ବର୍ଷ କଟିଗଲା, ଶାସନ ବଦଳିଲା, ଦଳ ବଦଳିଲା, ନାରା ବଦଳିଲା କିନ୍ତୁ ପୋଲର ଭାଗ୍ୟରେ ବଦଳ ଆସିଲା ନାହିଁ। ବର୍ତ୍ତମାନର ବିରୋଧୀ ଦଳର ବିଧାୟକ ପ୍ରଶାନ୍ତ ବେହେରାଙ୍କ ନିର୍ବାଚନ ମଣ୍ଡଳୀରେ ଅବସ୍ଥିତ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା ବିଜୁ ଜନତା ଦଳ ଶାସନ କାଳରେ। ଆରମ୍ଭରେ ଧୂମଧାମ, ଭିତ୍ତିପ୍ରସ୍ତର, ଫିତା କଟା ସବୁ କିଛି ହେଲା; କିନ୍ତୁ ପରେ କାମର ଗତି ଧୀରେ ଧୀରେ ଅଦୃଶ୍ୟ ହେଲା। ଏବେ ସ୍ଥିତି ଏମିତି ଯେ, କିଛି ଢ଼ଳେଇ,ମାଟି ଓ ଲୁହାର ଏକ ଅଧା-ତିଆରି ଅବଶେଷ ଛାଡ଼ି ଲୋକଙ୍କ ପାଇଁ କିଛି ମିଳୁନାହିଁ। ନିର୍ବାଚନ ନିକଟେ ହେଲେ ମାତ୍ର ଅଧୂରା ପ୍ରତିଶ୍ରୁତି ମନେ ପଡ଼େ, ନହେଲେ ସମସ୍ୟା ଗୁଡ଼ିକ ମାନଚିତ୍ରରୁ ହଜିଯାଏ।
ଅନ୍ୟପଟେ, ଶାସକ ଦଳ ଭାରତୀୟ ଜନତା ପାର୍ଟି ପକ୍ଷରୁ ଟାଙ୍ଗୀ ସାଲେପୁର ନିର୍ବାଚନ ମଣ୍ଡଳୀ ବିଧାୟକ ପାର୍ଥୀ ଅରିନ୍ଦମ ରାୟଙ୍କ ରାଜନୈତିକ ପଶାପାଲି ଲୋକଙ୍କୁ ଅତିଷ୍ଠ କରିଦେଇଥିବା ଶୁଣିବାକୁ ମିଳୁଛି। ଲୋକଙ୍କ ସମସ୍ୟାରେ କଦୋବା କୋଚିତ୍ ଦେଖା ମିଳୁଥିବା ବେଳେ, ଶାସକ ଦଳରେ ଥାଇ ମଧ୍ୟ ଅଞ୍ଚଳବାସୀଙ୍କ ସମସ୍ୟାକୁ ନେଇ କେବେ ମୁହଁ ଖୋଲୁନାହାନ୍ତି। ଗୋଟେପଟେ ଆଲୋକ ଜଳାଇବାର ପ୍ରତିଶ୍ରୁତି ଅନ୍ୟପଟେ ଅଧାପନ୍ତରିଆ ମେଣ୍ଡାଖାଇ ପୋଲ। ସରକାରୀ କାର୍ଯ୍ୟରେ ନିମନ୍ତ୍ରଣ ନମିଳିଲେ କର୍ମୀ ପହଞ୍ଚି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି। ୨୦୨୯ ନିର୍ବାଚନକୁ ଆଖିରେ ରଖି ଆଉ କିଛି ନୂତନ ଚେହେରା ମଧ୍ୟ ଲୋକଙ୍କ ନିକଟତର ହେବାକୁ ଜୋରଦାର ପ୍ରୟାସରତ। ସାଧାରଣ ଲୋକଙ୍କ ସମସ୍ୟା ନେଇ ଭାଷଣର ତାପମାତ୍ରା ବଢ଼ୁଛି, କିନ୍ତୁ ମେଣ୍ଢାଖାଇ ପୋଲର ଶୀତଳ ପ୍ରତିକ୍ଷା ତଥାପି ଅବିଚଳିତ। ଟାଙ୍ଗୀ ଅଞ୍ଚଳକୁ ଯୋଡ଼ିଥିବା ଏହି ମୁଖ୍ୟ ସଂଯୋଗ ସେତୁ କେବଳ ଯାତାୟାତର ସୁବିଧା ନୁହେଁ; ଏହା ଅର୍ଥନୈତିକ ଗତି, ଶିକ୍ଷା ଓ ଚିକିତ୍ସା ସୁବିଧାର ମୂଳ ଆଧାର। ତଥାପି, ଦୀର୍ଘ ବର୍ଷ ଧରି ନିର୍ମାଣାଧୀନ ରହିଥିବା ଏହି ପ୍ରକଳ୍ପ ଏବେ ପ୍ରଶ୍ନ ଚିହ୍ନର ଭାର ବୋହି ଚାଲିଛି। ଲୋକମାନଙ୍କ ମନରେ ଗୋଟିଏ ପ୍ରଶ୍ନ! ପୋଲ କେବେ ସରିବ? ନା କି ଏହା ମଧ୍ୟ ଆଉ ଗୋଟିଏ ନିର୍ବାଚନୀ ପୋଷ୍ଟରର ଅଂଶ ହୋଇ ରହିଯିବ? ଯେପର୍ଯ୍ୟନ୍ତ ରାଜନୀତି ମଞ୍ଚରେ ଆଲୋକ ଜଳୁଛି, ସେପର୍ଯ୍ୟନ୍ତ ମେଣ୍ଢାଖାଇ ପୋଲ ଅନ୍ଧକାରରେ ଅପେକ୍ଷା କରୁଛି ଏକ ନିଷ୍ପତ୍ତିର, ଏକ ସତ୍ୟ ସମର୍ପଣ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚା ହେଉଛି।