
ଚୌଦ୍ୱାର(ଶିବବ୍ରତ ଦାସ )- କଟକ ଜିଲ୍ଲାର ଟାଙ୍ଗୀ ଠାରେ ଆଜି ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ ଙ୍କ ଏକ ମାରାଥନ କାର୍ଯ୍ୟକ୍ରମରେ ବିଜେଡି ଓ ବିଜେପି କର୍ମୀ ଭିତରେ ମୁହାଁମୁହିଁ ହେବା ଘଟଣା ଅଂଚଳରେ ଚର୍ଚ୍ଚା ଜୋରଧରିଛି l ଟାଙ୍ଗୀ ବିଶ୍ୱନାହାକାଣୀ ଠାରେ ଟିପିସିଓଡିଏଲ ଏକ ସବଷ୍ଟେସନ ର ଉଦଘାଟନ ସମୟରେ ବିଜେଡି ଦଳ ର ଜଣେ କର୍ମୀ ଉପମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆରେ ଭାଷଣ ଦେବା ପାଇଁ କହିବାରୁ ସେଠାରେ ଉପସ୍ଥିତ ଥିବା ବିଜେପି କର୍ମୀ ମାନେ ସେ ଯୁବକକୁ ମାଡ଼ ମାରୁଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ ଷ୍ଟେଜ ଉପରୁ ତାଙ୍କୁ ଛାଡିଛାଡି ଦିଅ ବୋଲି ଅନୁରୋଧ କରୁଥିବାର ଦେଖାଯାଇଥିଲା l ପୁଲିସ ଘଟଣାକୁ ଆୟତ କରି ଯୁବକକୁ ବାହାରକୁ ନେଇଆସିଥିଲେ l ପ୍ରକାଶ ଯେ ଦିନ ୧୨ ଟା ସମୟରେ ପ୍ରମୋଦ ଉଦ୍ୟାନ ରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ ଏକ ସମୀକ୍ଷା ବୈଠକ କରିଥିଲେ l ଏଗାର ଶହ ଏକର ପରିମିତ ଏହି ପ୍ରମୋଦ ଉଦ୍ୟାନ ର ବିକାଶ ତଥା ଏହାକୁ ଏକ ଟୁରିଷ୍ଟ ସ୍ପଟ କରିବା ପାଇଁ ପ୍ରତିଶୃତି ଦେଇଥିଲେ l ଏହି ସଭାରେ ସମସ୍ତ ବିଭାଗୀୟ ଅଧିକାରୀ ସମେତ ଟାଙ୍ଗୀ ସାଲେପୁର ର ବିଧାୟକ ଶ୍ରୀ ପ୍ରଶାନ୍ତ ବେହେରା ଉପସ୍ଥିତ ଥିଲେ l ସମୀକ୍ଷା ବୈଠକ ପରେ ପ୍ରଶାନ୍ତ ବେହେରା ପ୍ରମୋଦ ଉଦ୍ୟାନ ର ମୁଖ୍ୟ ରାସ୍ତା ଦେଇ ବିଜେଡି ର ଏକ ବିରାଟ ରାଲିରେ ଦଳୀୟ ସ୍ଲୋଗାନ ଦେଇ ଉଦ୍ଘାଟନୀ ସ୍ଥଳୀକୁ ଯାଇଥିଲେ l ଏହି ସଭାରେ ବିଧାୟକ ଙ୍କ ଫୋଟୋ ନଥିବାରୁ କର୍ମୀମାନେ ହଂଗାମା କରିବା ସହ ହାଲ୍ଲାବୋଲ କରିଥିଲେ l ଏହାପରେ ଉପମୁଖ୍ୟମନ୍ତ୍ରୀ ବିଜେପି କର୍ମୀମାନଙ୍କ ସହ ସଭା ସ୍ଥଳରେ ପହଂଚିଲା ପରେ ଉତ୍ତେଜନା ପ୍ରକାଶ ପାଇଥିଲା l ପୁଲିସ ଉଭୟ ଦଳ ର କର୍ମୀ ମାନଙ୍କ ମଧ୍ୟରେ ବାରିକେଡ଼ କରିକି ପରିସ୍ଥିତି କୁ ଆୟତ୍ତ କରିଥିଲେ l ସଭାରେ ଉପମୁଖ୍ୟମନ୍ତ୍ରୀ କିଛି ସମୟ ହିନ୍ଦୀ ଭାଷା ରେ ଭାଷଣ ଦେବାରୁ ବିଜେଡି ର ଏହି ଯୁବକଟି ପ୍ରଶ୍ନ କରିଥିଲେ, ଓଡ଼ିଆରେ ଭାଷଣ ପାଇଁ କହୁଥିଲେ l ଫଳରେ ସେଠାରେ ଉପସ୍ଥିତ ଥିବା ବିଜେପି ର କିଛି କର୍ମୀ ତାଙ୍କୁ ହାତାହାତି କରିବାକୁ ପଛେଇ ନଥିଲେ l ଏହି ସଭାରେ ବିଜେପି ର ବରିଷ୍ଠ ନେତା ଶ୍ରୀ ଅରିନ୍ଦମ ରାୟ, ଚୌଧୁରୀ ହେମନ୍ତ ସାହୁ, ବ୍ଲକ ସଭାପତି ଶ୍ରୀମତୀ ମିନାକ୍ଷୀ ଦାସ ସମେତ ଟିପିସିଓଡିଏଲ ର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ l