ଯନ୍ତ୍ରଣା ଦେଉଛି ମେଗା ପାନୀୟଜଳ ପ୍ରକଲ୍ପ

ଭଞ୍ଜନଗର ୨୪/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଘରେ ଘରେ ପହଞ୍ଚିବ ପାନୀୟ ଜଳ। ଗଞ୍ଜାମ ଜିଲ୍ଲାର ୧୧ଟି ବ୍ଲକ୍‌ରେ ପିଇବା ପାଣି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ନୟାଗଡ଼ ଜିଲ୍ଲା ଗଣିଆ ନିକଟ ମହାନଦୀରେ ମେଗା ପାନୀୟଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କାମ ହାତକୁ ନିଆଯାଇଛି। ୨୦୨୩ ଜୁନ୍ ମାସରେ ପ୍ରକଳ୍ପ କାମ ଆରମ୍ଭ ହୋଇଥିବା ବେଳେ ୨୦୨୪ ଜୁଲାଇ ୧ ତାରିଖ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ଡେଡ୍‌ଲାଇନ୍ ଧାର୍ଯ୍ୟ ହୋଇଥିଲା। ଡେଡଲାଇନ୍ ସରି ଏହା ମଧ୍ୟରେ ଦେଢ଼ବର୍ଷରୁ ଅଧିକ ସମୟ ବିତିସାରିଥିଲେ ହେଁ, ବର୍ତ୍ତମାନସୁଦ୍ଧା ମାତ୍ର ୪୦ ପ୍ରତିଶତ କାମ ଶେଷ ହୋଇଛି। ହେଲେ ଏହି ପ୍ରକଳ୍ପ ସମ୍ପୂର୍ଣ ହେବା ପୂର୍ବରୁ ଲୋକଙ୍କୁ ଯନ୍ତ୍ରଣା ଦେଲାଣି। ଠିକାଦାର ପୁରୁଣା ପାଣି ପାଇପ୍ ଫଟାଇ ମରାମତି ନକରି ଛାଡ଼ି ପଳାଉଛନ୍ତି। ଯାହାକୁ ନେଇ ଜନଅସନ୍ତୋଷ ତେଜିବାରେ ଲାଗିଛି।

ନୟାଗଡ଼ ଜିଲ୍ଲା ଗଣିଆ ନିକଟରୁ ପାଇପ୍ ଯୋଗେ ମହାନଦୀର ପାଣି ଉଠାଯାଇ ୫୫.୩୮୭ କିମି ଗଞ୍ଜାମ ଜିଲ୍ଲାକୁ ଆସିବା ପୂର୍ବରୁ ଦଶପଲ୍ଲା ନିକଟରେ ୧୪୦ ଏସ୍ଏଲଡିର ଏକ ପମ୍ପସେଟ୍ ନିର୍ମାଣ ହେଉଛି। ସେଠାରେ ପାଣି ଗଚ୍ଛିତ ହେବା ପରେ ଜଗନ୍ନାଥପ୍ରସାଦ ବ୍ଲକ୍ ଗାୟାଗଣ୍ଡା ଅଣାଯାଇ ବୃହତ୍ ବିଶୋଧନାଗାରରେ ବିଶୋଧନ କରାଯିବ। ୨୦୨୭ ମାର୍ଚ୍ଚ ସୁଦ୍ଧା ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରହିଥିଲେ ହେଁ, ବିଭିନ୍ନ କାରଣରୁ ଏହା ଧିମା ଗତିରେ ଚାଲିଛି। ଗତ କିଛିଦିନ ତଳେ ବିଭାଗୀୟ ମନ୍ତ୍ରୀ ସମୀକ୍ଷା କରିଥିବା ବେଳେ ପ୍ରକଳ୍ପ କାମ ତ୍ବରାନ୍ବିତ ହୋଇନଥିବାରୁ ଉଦ୍‌ବେଗ ପ୍ରକାଶ କରିଥିଲେ। ପ୍ରକଳ୍ପର କିଛି କାର୍ଯ୍ୟର ଡ୍ରଇଂ ଓ ଡିଜାଇନ୍ ମିଳିବାରେ ବିଳମ୍ବ ଯୋଗୁଁ କାର୍ଯ୍ୟ ଆଗେଇପାରୁନି।

ବିଭିନ୍ନ ପଞ୍ଚାୟତକୁ ପାଇପ୍ ଲାଇନ୍ ବିଛାଇବା ସହ ମୁଖ୍ୟ ପାଇପ୍ ଲାଇନ୍ ପାଇଁ କେତେକ ପେଟି ଠିକାଦାର ସ୍ଥାନୀୟ ଜନପ୍ରତିନିଧି ଓ ବିଭାଗୀୟ ଅଧିକାରୀଙ୍କୁ ହାତଗୁଞ୍ଜା ଦେଇ କାମ ହାତେଇଛନ୍ତି। ପାଇପ୍ ବିଛାଇବା ନାଁରେ ସେମାନେ କେଉଁଠି ରାସ୍ତାକୁ ତାଡ଼ି ଦେଇଛନ୍ତି ଆଉ କେଉଁଠି ପୁରୁଣା ପାଇପ୍ ଫଟାଇ ଦେଉଛନ୍ତି। ଗତ କିଛି ଦିନ ପୁର୍ବେ ଭଞ୍ଜନଗର ବ୍ଲକ ମୁଦୁଲି ପଲ୍ଲୀ ପଞ୍ଚାୟତର ମୁଦୁଲିପଲ୍ଲୀ ଠୁ ଭାଲିଆଖାଇ ଛକ ନିକଟ ଜାତୀୟ ରାଜପଥ କଡରେ ପାଇପ୍ ଲାଇନ ବିଛାଇବାକୁ ଠିକା ସ଼ଂସ୍ଥା ପକ୍ଷରୁ ମାଟି ଖୋଳା ଯାଇଥିଲା। ସେହିପଟେ ହସନାପଲ୍ଲୀ ଗାଁକୁ ପୂର୍ବରୁ ମୁଦୁଲି ପଲ୍ଲୀ ପ୍ରକଳ୍ପରୁ ଜଳ ଯୋଗାଣ ହୋଇଥିବାରୁ ଲୋକେ ପୁନର୍ବାର ଜମି ଖୋଳି ପାଇପ୍ ପକାଇବାକୁ ବାରଣ କରିଥିଲେ।ହେଲେ କାମ କରୁଥିବା ଠିକା ସଂସ୍ଥା ପୁଣି ସେହି ଜମିରେ ପାଇପ୍ ବିଛାଇବାକୁ ମାଟି ଖୋଳି ପୁରୁଣା ପାଇପଲାଇନ୍‌କୁ ଭାଙ୍ଗି ଦେଇଥିଲେ।ଯାହା ଫଳରେ ଗତ କିଛି ଦିନ ହେବ ହସନାପଲ୍ଲୀ ଗ୍ରାମକୁ ପାନୀୟ ଜଳ ଯୋଗାଣ ରେ ବାଧା ସୃଷ୍ଟି ହେଉଛି। ଏହା ସହ ପାଇପ୍ ରେ ଗୋଳି ପାଣି ଆସୁଥିବା ଲୋକେ ଅଭିଯୋଗ କରିଛନ୍ତି।ଏହା ତୁରନ୍ତ ନିର୍ମାଣ ହେଉନଥିବାରୁ ଜନଅସନ୍ତୋଷ ଦେଖାଦେଇଛି।