
ନୂଆପଡ଼ା (ପରମେଶ୍ୱର ମେହେର, ନୂଆପଡ଼ା ଜିଲ୍ଲା ପ୍ରତିନିଧି): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର କୋଟାମାଲ ଗାଁ ଆଜି ଗର୍ବିତ, କାରଣ ଏହି ମାଟିରୁ ଜନ୍ମ ନେଇଥିବା ଜଣେ ସରଳ, ନିଷ୍ଠାବାନ ଓ ସମାଜନିର୍ମାତା ଶିକ୍ଷକ ଡ଼ଃ ତ୍ରିନାଥ ନିଆଲ ନିଜ ଅକ୍ଳାନ୍ତ ଶିକ୍ଷା ସେବା ପାଇଁ ମାନଦ ଡକ୍ଟରେଟ୍ ସମ୍ମାନରେ ଭୂଷିତ ହୋଇଛନ୍ତି। ଏହି ସମ୍ମାନ କେବଳ ଜଣେ ବ୍ୟକ୍ତିଙ୍କ ସଫଳତା ନୁହେଁ, ବରଂ ସମଗ୍ର ନୂଆପଡ଼ା ଜିଲ୍ଲାର ଶିକ୍ଷା ଇତିହାସରେ ଏକ ଗୌରବମୟ ଅଧ୍ୟାୟ।
୧୯୮୦ ମସିହାରୁ ଆରମ୍ଭ ହୋଇଥିବା ତାଙ୍କର ଶିକ୍ଷକତା ଯାତ୍ରା ୨୦୨୧ ପର୍ଯ୍ୟନ୍ତ ଅବିରତ ଭାବରେ ଚାଲିଥିଲା। ପ୍ରାୟ ୪୧ ବର୍ଷ ୯ ମାସ ୮ ଦିନ ଧରି ସେ ଶିକ୍ଷାକୁ ନିଜ ଜୀବନର ଧ୍ୟେୟ ଭାବେ ଗ୍ରହଣ କରି ଆଦିବାସୀ ଓ ହରିଜନ ସମାଜର ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ଅଦମ୍ୟ ପରିଶ୍ରମ କରିଥିଲେ। ସେହି ସମୟରେ ଦୂରଦର୍ଜା ଗ୍ରାମାଞ୍ଚଳରେ ଶିକ୍ଷାର ସୁବିଧା ଅଭାବ, ଦାରିଦ୍ର୍ୟ ଓ ସାମାଜିକ ପଛୁଆପନ ବଡ଼ ବାଧା ଥିଲା। କିନ୍ତୁ ଡ଼ଃ ନିଆଲ ସେସବୁକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଶିକ୍ଷାର ଆଲୋକ ପ୍ରତ୍ୟେକ ଘରକୁ ପହଞ୍ଚାଇବାରେ ନିଜକୁ ସମର୍ପିତ କରିଥିଲେ।
ସେ କେବଳ ଶ୍ରେଣୀକକ୍ଷରେ ପାଠ ପଢ଼ାଇ ଥମି ଯାଇନଥିଲେ; ଛାତ୍ରଛାତ୍ରୀଙ୍କ ଭବିଷ୍ୟତ୍ ଗଢ଼ିବାକୁ ସେ ଘରେ ଘରେ ଯାଇ ଅଭିଭାବକଙ୍କୁ ଶିକ୍ଷାର ମୂଲ୍ୟ ବୁଝାଇଥିଲେ। ଅନେକ ଦରିଦ୍ର ଛାତ୍ରଙ୍କୁ ସେ ନିଜେ ପୁସ୍ତକ, ପୋଷାକ ଓ ପଢ଼ାର ସହାୟତା ଯୋଗାଇ ସତ୍ୟ ଗୁରୁର ମର୍ଯ୍ୟାଦାକୁ ସାର୍ଥକ କରିଥିଲେ। ତାଙ୍କ ନିର୍ଦ୍ଦେଶନାରେ ଗଢ଼ିଉଠିଥିବା ଅନେକ ଛାତ୍ର ଆଜି ବିଭିନ୍ନ ସରକାରୀ ଓ ବେସରକାରୀ କ୍ଷେତ୍ରରେ ସଫଳତାର ସହ କାର୍ଯ୍ୟରତ ହୋଇ ସମାଜର ଗର୍ବ ବଢ଼ାଇଛନ୍ତି।
ତାଙ୍କର ଏହି ଦୀର୍ଘ ଶିକ୍ଷା ସେବା, ସମାଜ ପ୍ରତି ଅସାଧାରଣ ଅବଦାନ ଓ ଦେଶର ଶିକ୍ଷା ଉନ୍ନତି ପାଇଁ କରାଯାଇଥିବା ନିଷ୍ଠାପୂର୍ଣ୍ଣ କାର୍ଯ୍ୟକୁ ସ୍ୱୀକୃତି ଦେଇ
ଭାରତ ସରକାରଙ୍କ ନୀତି ଆୟୋଗ ଓ ଷ୍ଟାର୍ଟଅପ୍ ଇଣ୍ଡିଆ ଦ୍ୱାରା ନିବନ୍ଧିତ ସଂସ୍ଥା
ପ୍ରଦାନ କରାଯାଇଛି। ଏହି ସମ୍ମାନ ତାଙ୍କ ଜୀବନବ୍ୟାପୀ ସେବାର ଏକ ଐତିହାସିକ ସ୍ୱୀକୃତି ଭାବେ ପରିଗଣିତ ହେଉଛି।
ଡ଼ଃ ତ୍ରିନାଥ ନିଆଲଙ୍କ ଜୀବନ ଆମକୁ ଏକ ମହାନ ସନ୍ଦେଶ ଦେଇଥାଏ
ଶିକ୍ଷକ କେବଳ ଜ୍ଞାନ ଦାତା ନୁହେଁ, ସେ ସମାଜର ଭବିଷ୍ୟତ୍ ନିର୍ମାତା।
ତାଙ୍କର ତ୍ୟାଗ, ସରଳତା, ନିଷ୍ଠା ଓ ମାନବିକତା ଆଗାମୀ ପିଢ଼ି ପାଇଁ ପ୍ରେରଣାର ଅମର ପ୍ରଦୀପ ହୋଇ ରହିବ।ଆଜି ଯେତେବେଳେ ଶିକ୍ଷାକୁ ଅନେକ ସମୟରେ ପେଶା ଭାବେଦେଖାଯାଉଛି,ସେତେବେଳେ ଡ଼ଃ ନିଆଲଙ୍କ ଜୀବନ ପ୍ରମାଣ କରେ ସତ୍ୟ ଶିକ୍ଷା ସେବା ହେଉଛି ମାନବତାର ସବୁଠାରୁ ପବିତ୍ର ଧର୍ମ।
ନୂଆପଡ଼ା ମାଟି ସଦା ଗର୍ବର ସହ ସ୍ମରଣ କରିବ
“ଏହି ଅଞ୍ଚଳର ଅନ୍ଧକାର ମଧ୍ୟରେ ଶିକ୍ଷାର ଦୀପ ଜ୍ୱାଳିଥିବା ଜଣେ ମହାନ ଗୁରୁ ଡ଼ଃ ତ୍ରିନାଥ ନିଆଲ।”