ନୁଆପଡାର ଜିଲ୍ଲା ରୁ ପ୍ରକାଶ ପାତ୍ର ଓ ବିଶିକେଶନ ବାଗ ଓସିଏ ଅମ୍ପାୟର ପରୀକ୍ଷା–୨୦୨୫ରେ ସଫଳ

ନୁଆପଡା, ତା. 27/02/26 (ପରମେଶ୍ୱର ମେହେର, ନୂଆପଡ଼ା ଜିଲ୍ଲା ପ୍ରତିନିଧି): ନୁଆପଡା ଜିଲ୍ଲା ପାଇଁ ଏକ ଗର୍ବର ମୁହୂର୍ତ୍ତ ସୃଷ୍ଟି ହୋଇଛି। ଜିଲ୍ଲାର ଦୁଇ ଯୁବ କ୍ରୀଡାବିତ ପ୍ରକାଶ ପାତ୍ର ଓ ବିଶିକେଶନ ବାଗ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପକ୍ଷରୁ ଆୟୋଜିତ ଅମ୍ପାୟର ପରୀକ୍ଷା–୨୦୨୫ ରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଜିଲ୍ଲାର ନାମକୁ ରାଜ୍ୟ ସ୍ତରରେ ଉଜ୍ଜ୍ୱଳ କରିଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା 125 ଜଣ ପ୍ରାର୍ଥୀମାନଙ୍କ ମଧ୍ୟରେ ଏହି ପରୀକ୍ଷା କଠିନ ପ୍ରତିସ୍ପର୍ଧା ମୂଳକ ଥିଲା। କ୍ରିକେଟ୍ ନିୟମାବଳୀ, ମ୍ୟାଚ୍ ପରିଚାଳନା ପ୍ରଣାଳୀ, ଖେଳ ନୀତି-ନିୟମ ଓ ପ୍ରାୟୋଗିକ ଜ୍ଞାନ ଉପରେ ଏହି ପରୀକ୍ଷା ଆୟୋଜିତ ହୋଇଥିଲା।

ପ୍ରକାଶ ଯୋଗ୍ୟ ଯେ , ସିନାପାଲି ର ପ୍ରକାଶ ପାତ୍ର ଜଣେ ଉଚ୍ଚ କୋଟୀର କ୍ରୀଡ଼ା ଭାଷ୍ୟକାର ହେବା ସହ ଟେନିସ କ୍ରିକେଟ୍ ଆସୋସିଏସନ୍ ଅଫ ଇଣ୍ଡିଆ ର ଜଣେ ମାନ୍ୟତାପ୍ରାପ୍ତ ଅମ୍ପାୟର ଥିଲେ । ସେହିପରି କୋମନା ର ବିଶିକେଶନ ବାଗ ଜଣେ କ୍ରୀଡ଼ା ଶିକ୍ଷକ ଏବଂ ଦୀର୍ଘଦିନ ଧରି ରାଜ୍ୟ ଓ ଜିଲ୍ଲା ସ୍ତରର କ୍ରିକେଟ୍ ପ୍ରତିଯୋଗିତା ମାନଙ୍କ ରେ ସକ୍ରିୟ ଭାବେ ବିଦ୍ୟାଳୟ ଖେଳ ମାନଙ୍କରେ ଅମ୍ପାୟରିଂ କରୁଥିବା ସହ ନିଜର କ୍ଷମତା ଓ ନିଷ୍ଠା ପ୍ରମାଣ କରିଆସୁଥିଲେ।

ପ୍ରକାଶ ପାତ୍ର ଓ ବିଶିକେଶନ ବାଗ ଙ୍କ ଏହି ସଫଳତା ନୁଆପଡା ଜିଲ୍ଲାର କ୍ରିକେଟ୍ ଅଭିବୃଦ୍ଧି ପାଇଁ ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଖେଲ ପ୍ରେମୀ ମାନେ ମତ ପ୍ରକାଶ କରିଛନ୍ତି। ଏହା ମାଧ୍ୟମରେ ଜିଲ୍ଲାରୁ ଆହୁରି ଯୁବ ମାନେ ଅମ୍ପାୟରିଂ କ୍ଷେତ୍ରରେ ଆଗକୁ ଆସିବାକୁ ପ୍ରେରିତ ହେବେ ବୋଲି ଆଶା କରାଯାଉଛି।

ଏହି ସଫଳତା ପାଇଁ ନୂଆପଡ଼ା ଜିଲ୍ଲା କ୍ରିକେଟ୍ ସଂଘ ର ସମ୍ପାଦକ ଶ୍ରୀ ସରୋଜ କୁମାର ସାହୁ (ଭୈରବ) ତଥା ଜିଲ୍ଲା ର କ୍ରିକେଟ୍ ଖେଳାଳି ଓ କ୍ରୀଡ଼ା ପ୍ରେମୀ ଦୁଇ ଜଣଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ଏହି ଉପଲବ୍ଧି ନୁଆପଡା ର କ୍ରିକେଟ୍ ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ି ଦେଇଛି। ଆଗାମୀ ଦିନରେ ଜିଲ୍ଲା ଓ ରାଜ୍ୟ ସ୍ତରରେ ମ୍ୟାଚ୍‌ ଗୁଡିକରେ ଅମ୍ପାୟର ଭାବେ ସେବା ଦେଇ ସେମାନେ ନିଜ ଦକ୍ଷତା ପ୍ରଦର୍ଶନ କରିବେ ଓ ଜିଲ୍ଲାର ନାମକୁ ଆହୁରି ଉଚ୍ଚ କରିବେ ବୋଲି ସମସ୍ତଙ୍କ ଆଶା ରହିଛି।