ତନରଡ଼ାରେ ମା ଶ୍ୟାମାକାଳୀଙ୍କ ମନ୍ଦିର ପ୍ରତିଷ୍ଠା ଓ ସିଂହାସନ ଆରୋହଣ

ବେଲଗୁଣ୍ଠା ୨୮/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ନିକଟ ତନରଡ଼ା ଗ୍ରାମରେ ମାଁ ଶ୍ୟାମାକାଳୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବା ପରେ ଗୁରୁବାର ଦିନ ମାଁଙ୍କ ସିଂହାସନ ବିଜେ କାର୍ଯ୍ୟକ୍ରମ ହଜାର ହଜାର ଭକ୍ତଙ୍କ ଆନନ୍ଦ ମୟ ପରିବେଶରେ ସମ୍ପନ୍ନ ହୋଇଛି । ଏ ଅବସରରେ ତନରଡ଼ା ମାଙ୍କ ପୀଠରେ ୪୮ପ୍ରହର ନାମ ଯଜ୍ଞ ,ଅନ୍ନ ଯଜ୍ଞ ,ଘୃତ ଯଜ୍ଞ,ଜ୍ଞାନ ଯଜ୍ଞ,ଦୀପ ଯଜ୍ଞ,ଗୋ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ନାମ ଯଜ୍ଞରେ ତନରଡ଼ା, କାଦୁଆ, ମଥା ତେନ୍ତୁଳିଆ ,ତାକରଡ଼ା, ପଥରାପୁଞ୍ଜି, ଜଗମୋହନ ଓ ନାରଙ୍ଗୀ ପଲ୍ଲୀ ଗ୍ରାମର ସଂକୀର୍ତ୍ତନ ଦଳ ଅଂଶ ଗ୍ରହଣ କରିଥିଲେ । ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଦୀକ୍ଷା ଗ୍ରହଣ, କଳସ ଯାତ୍ରା, ଅଙ୍କୁରାରୋପଣ, ମଣ୍ଡଳ କରଣ ,ଅଧିବାସ ,ପଞ୍ଚାଙ୍ଗ ପୂଜା,ସୂର୍ଯ୍ୟ ପୂଜା, ସୌରାଗ୍ନି ଆନୟନ,ଯଜ୍ଞ ମଣ୍ଡପ ପ୍ରବେଶ,ସାଲାପୂଜା,ଘୃତ ଯଜ୍ଞ, ଚଣ୍ଡୀପାଠ ,ନାମ ଯଜ୍ଞ ପ୍ରାରମ୍ଭ, ଓ ବିଭିନ୍ନ ପୂଜାବିଧି ବିଭିନ୍ନ ଦିନରେ ଅନୁଷ୍ଠିତ ହୋଇଥିଲା । ଗୁରୁବାର ଦିନ ମାଁ ଶ୍ୟାମା କାଳୀଙ୍କ ନଗର ଭ୍ରମଣ ପରେ ସିଂହାସନ ଆରୋହଣ ପରେ ସନ୍ଧ୍ୟାରେ ଘୃତ ଯଜ୍ଞର ପୂର୍ଣ୍ଣାହୁତି ଦିଆଯାଇଥିଲା । ଶୁକ୍ରବାର ଦିନ ନାମ ଯଜ୍ଞ ସମାପନ ପରେ ଦେବତା ସଂସ୍ଥାନେଗମନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗତ ୨୧ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ଗ୍ରାମରେ ମିନା ବଜାର ସାଙ୍ଗକୁ ବିଭିନ୍ନ ଦୋଳି , ରଙ୍ଗ ବେରଙ୍ଗର ପସରା ଓ ଅପେରା ଯୋଗୁଁ ଗ୍ରାମରେ ଉତ୍ସବର ବାତାବରଣ ସାଙ୍ଗକୁ ଜନ ସମୁଦ୍ର ଓ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ମନ୍ଦିର ପରିଚାଳନା କମିଟି ଓ ଗ୍ରାମ୍ୟ କମିଟି ଓ ସ୍ବେଛାସେବୀ ଯୁବକ ମାନେ ସହଯୋଗ କରିଥିଲେ ।