
ଚୌଦ୍ଵାର ୧/୩ (ଶିବବ୍ରତ ଦାସ ): ଚୌଦ୍ୱାର ଥାନା ଅନ୍ତର୍ଗତ ଆଗ୍ରାହାଟ ଗ୍ରାମରେ ଘଟିଛି ଏକ ଦୁଃଖଦ ଅଗ୍ନିକାଣ୍ଡ। ଜଣେ ଭାଗଚାଷୀଙ୍କ ବର୍ଷକର କଷ୍ଟର ଫଳ ମୁହୂର୍ତ୍ତ ମଧ୍ୟରେ ନିଆଁରେ ଭସ୍ମୀଭୂତ ହୋଇଯାଇଛି।
ସୂଚନା ଅନୁଯାୟୀ, ଆଗ୍ରାହାଟ ଦେହୁରୀ ସାହିର ଭାଗଚାଷୀ ହାଡିବନ୍ଧୁ ସାହୁ ବିଲରୁ ଧାନ କାଟି ଆଗ୍ରହଟ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଥିବା ଏକ ପରିତ୍ୟକ୍ତ କୋଠାଘର ଉପରେ ଧାନ ଗଦା କରି ରଖିଥିଲେ। ଆଜି ସକାଳ ପାଖାପାଖି ୧୧ଟା ସମୟରେ ହଠାତ୍ କୌଣସି ଅଜଣା କାରଣ ବଶତଃ ଧାନ ଗଦାରେ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରୁ ଧୂଆଁ ଉଠୁଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଚୌଦ୍ୱାର ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ ପହଞ୍ଚି ଅଗ୍ନିକୁ ନିୟନ୍ତ୍ରଣ କରିଥିଲେ। ତେବେ ସେ ପର୍ଯ୍ୟନ୍ତ ସମସ୍ତ ଧାନ ଗଦା ନିଆଁରେ ଜଳି ପାଉଁଶ ହୋଇଯାଇଥିଲା। ଏହି ଅଗ୍ନିକାଣ୍ଡରେ ହାଡିବନ୍ଧୁ ସାହୁଙ୍କ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ଆନୁମାନ କରାଯାଉଛି। ଏକମାତ୍ର ଜୀବିକାର ଆଧାର ଭାବେ ଧାନ ଚାଷ କରୁଥିବା ଏହି ଚାଷୀ ଏବେ ଚିନ୍ତାଗ୍ରସ୍ତ ଅବସ୍ଥାରେ ଅଛନ୍ତି। ଅଞ୍ଚଳବାସୀମାନେ ଏହି ଘଟଣାର ସଠିକ୍ ତଦନ୍ତ ସହିତ ହାଡିବନ୍ଧୁ ସାହୁଙ୍କୁ ଯଥୋଚିତ କ୍ଷତିପୂରଣ ଓ ସରକାରୀ ସହାୟତା ଦେବାକୁ ପ୍ରଶାସନଙ୍କୁ ଦାବି କରିଛନ୍ତି।