ଗଞ୍ଜାମ ପୁଲିସ ଜିଲ୍ଲାର ଛତ୍ରପୁର ରେ ଖୋଲିଲା ସାଇବର ଥାନା

ଛତ୍ରପୁର (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଓଡିଶାରେ ସାଇବର ଅପରାଧକୁ ରୋକିବା ଏବଂ ଏହାର ତଦନ୍ତକୁ ଅଧିକ ଶକ୍ତିଶାଳି କରିବା ପାଇଁ ରାଜ୍ୟ ସରକାର ଓ ପୁଲିସ ବିଭାଗ ପକ୍ଷରୁ ରାଜ୍ୟରେ ୨୪ ଗୋଟି ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନା ଉଦଘାଟନ ହୋଇଛି । ଏହି ଅବସରରେ ଗୃହମନ୍ତ୍ରୀ ଅମିତ ଶାହ କରକମଳରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଉପସ୍ଥିତିରେ ଆଭାସି ଜରିଆରେ ଛତ୍ରପୁରରେ ଏକ ସାଇବର ଥାନା ଉଦଘାଟନ ହୋଇଛି । ପୂର୍ବରୁ ବ୍ରହ୍ମପୁର ପୁଲିସ ଜିଲାରେ ଗୋଟିଏ ସାଇବର ଥାନା ଥିବା ବେଳେ ଏବେ ଗଞ୍ଜାମ ପୁଲିସ ଜିଲା ଅଧିନ ଛତ୍ରପୁରରେ ଏହି ଥାନା ଖୋଲାଯାଇଛି । ଏହି ଅବସରରେ ଛତ୍ରପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଦକ୍ଷିଣାଚଂଳ ଆଇଜି ନିତି ଶେଖର ଓ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ଉପସ୍ଥିତ ରହି ଏହାର ଶୁଭଉଦଘାଟନ କରିଥିଲେ । ଦକ୍ଷିଣାଚଂଳ ରେଞ୍ଜ ଅଧିନରେ ୩ଟି ସାଇବର ଥାନା ଗଞ୍ଜାମ, ଗଜପତି ଓ ବୌଦ୍ଧ ଜିଲାରେ ଖୋଲିଛି ବୋଲି ଆଇଜି ନିତି ଶେଖର କହିଥିଲେ । ପୂର୍ବରୁ ବ୍ରହ୍ମପୁର ଓ ଫୁଲବାଣି ଜିଲାରେ ରହିଥିଲା । ଦିନକୁ ଦିନ ସାଇବର କ୍ରାଇମ ବଢୁଛି, ତେଣୁ କରି ପ୍ରତି ସାଇବର ଥାନାରେ ସ୍ୱତନ୍ତ୍ର ଟିମ ରହିବେ । ଗଞ୍ଜାମ ସାଇବର ଥାନାରେ ଜଣେ ଡିଏସପିଙ୍କ ନେତୁତ୍ୱରେ ୭ ଜଣ ଆଇଆଇସି , ୨ଜଣ ଏସଆଇ,୧ଜଣେ ଏଏସଆଇ,୩ଜଣ କନଷ୍ଟେବଲ ରହିବେ । ଗଞ୍ଜାମ ପୁଲିସ ଜିଲାରେ ଯେଉଁ ସାଇବର ଅପରେସନ କବଚ ଜାରି ରହିଥିଲା ପାଖାପାଖି ୮୩୩ ଟି ବେନାମୀ ବ୍ୟାଙ୍କ ଆକାଉଂଟ(ମ୍ୟୁଲ ଆକାଉଂଟ) ଖାତା ଯାଂଚ ହେବା ସହ ୩୪ ଜଣ ଗିରଫ, ୧୨୩ ଜଣକୁ ନୋଟିସ ୯ ଲକ୍ଷରୁ ଉର୍ଦ୍ଧ ଟଙ୍କା ସିଜ ହେବାସହ ଏହିସବୁ ଖାତାରେ ୯ କୋଟି ରୁ ଉର୍ଦ୍ଧ ଟଙ୍କା କାରାବାର ହେଉଥିବା କୁହାଯାଇଛି । ବିଶେଷକରି ସାଇବର ଅପରାଧିମାନେ ଅନଲାଇନ ଠକେଇ, ନିବେଶ ଏବଂ ଟ୍ରେଡିଂ ଠକେଇ, ଡିଜିଟାଲ ଆରେଷ୍ଟ , ଲୋଭନୀୟ ଅଫର,ନକଲି ପରିଚୟ ,ଏଟିଏମ ଠକେଇ କରି ବିଭିନ୍ନ ଉପାୟରେ ଲୋକଙ୍କୁ ଠକିଦେଇଥାନ୍ତି ସାଇବର ଅପରାଧି । ସାଇବର ଲୁଟେରା ମାନେ ପ୍ରଥମେ ଲୋଭ ଦେଖାଇ ଆଶା ବିଶ୍ୱାସ ଜମାଇ ସରଳ ଉପାୟରେ ଓଟିପି କିମ୍ବା ପାସୱାର୍ଡ ମାଗି ଆକାଉଂଟ ହ୍ୟାକ କରି ଟଙ୍କା ହଡପ କରିଦେଇଥାନ୍ତି । ତେଣୁ ଏହିସବୁକୁ ଦୁରେଇ ରହିବାକୁ ପୁଲିସ ପକ୍ଷରୁ ଜନସାଧାରଣମାନଙ୍କୁ ଅନୁରୋଧ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ସିମା ସ୍ୱାଇଁ,ଚିନ୍ମୟ ନାୟକ, ଡିଏସପି ଗିରିଜାନନ୍ଦନ ପଟ୍ଟନାୟକ,ଛତ୍ରପୁର ଏସଡିପିଓ ଚନ୍ଦନ ଘଡାଇ, ଆସିଷ୍ଟାଣ୍ଡ କାମାଣ୍ଡେଣ୍ଟ କାଳୁ ଚରଣ ବେହେରା, ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚ୍ଚୀ ମଲ୍ଲ ,ସାଇବର ଥାନାର ଜ୍ୟୋତିରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।