
ଭଞ୍ଜନଗର, ୦୮/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ତାଲୁକ ଆଇନ୍ ସେବା କମିଟି, ଭଞ୍ଜନଗର ପକ୍ଷରୁ ଡିହପଢାଳ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମହିଳାମାନଙ୍କ ଅଧିକାର ଓ ସେମାନଙ୍କ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ଆଇନ ନିୟମ ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ତାଲୁକ ଆଇନ୍ ସେବା କମିଟିର ଅଧ୍ୟକ୍ଷ ସେଖ୍ ମହମ୍ମଦ କଏସ ଅଧ୍ୟକ୍ଷତା କରିଥିଲେ। ସେ ମହିଳାମାନଙ୍କ ନିଜ ଅଧିକାର ବିଷୟରେ ସଚେତନ ହେବା ଓ ଆଇନର ସହାୟତା ନେବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ।
ଏହି ଅବସରରେ ସିନିୟର ସିଭିଲ୍ ଜଜ୍ ଦେବାଶିଷ ବିଶୋଇ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଡ. ଦୀପକ କୁମାର ମିଶ୍ର, ଅତିରିକ୍ତ ଉପଜିଲ୍ଲାପାଳ ପ୍ରଧାନ ଟୁଲିଆମା, ବିଡିଓ ଭାରତୀ ଦେବୀ, ତାଲୁକ ଆଇନ୍ ସେବା କମିଟିର ସଦସ୍ୟ ଡ. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଓ ଅଳକା ମଞ୍ଜରୀ ପଟ୍ଟନାୟକ, ସହିତ ଡିହପଢାଳ ଗ୍ରାମ ପଞ୍ଚାୟତର ସରପଞ୍ଚ ରୋଜି ବରାଳ ମଧ୍ୟ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ଘରୋଇ ହିଂସା ନିରୋଧ ଆଇନ (ପିଡବ୍ଲୁଡ଼ିଭି ଧାରା ), ଦହେଜ ନିରୋଧ ଆଇନ (ପିସି . ଓ ପିଏନଡ଼ିଟି ଧାରା ), ପୋକ୍ସ ଆଇନ, ଭିକ୍ଟିମ୍ କମ୍ପେନସେସନ୍ ସ୍କିମ୍ ଏବଂ କାର୍ଯ୍ୟସ୍ଥଳରେ ମହିଳାଙ୍କ ଉପରେ ଯୌନ ଉତ୍ପୀଡନ ନିରୋଧ ଆଇନ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା।
ଉପସ୍ଥିତ ବକ୍ତାମାନେ ମହିଳାମାନଙ୍କ ସୁରକ୍ଷା, ସମ୍ମାନ ଓ ନ୍ୟାୟ ପାଇଁ ଆଇନର ସହାୟତା ନେବା ଓ ସମାଜରେ ସଚେତନତା ବଢ଼ାଇବାର ଆହ୍ୱାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ମହିଳା ଓ ସ୍ଥାନୀୟ ଲୋକମାନେ ଯୋଗଦେଇଥିଲେ।
ଏହିପରି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନେ ନିଜ ଅଧିକାର ଓ ଆଇନ ସହାୟତା ବିଷୟରେ ସଚେତନ ହେବେ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି।