ବିଶ୍ୱ ମହିଳା ଦିବସ ବିଶେଷ: ଭଂଜନଗର ରୁ ମଣିପୁର – ସଫଳତାର ଶିଖରରେ ଆଇପିଏସ୍ ବବିତାରାଣୀ

ଭଂଜନଗର – ୦୮/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ଗଞ୍ଜାମ ଜିଲ୍ଲା ଭଂଜନଗର ର ଝିଅ ବବିତା ରାଣୀ ସ୍ବାଇଁ । ଏବେ ସେ ମଣିପୁର ଏସପି । ୨୦୨୧ ବ୍ୟାଚ୍, ମଣିପୁର କ୍ୟାଡର୍ ର ଆଇପିଏସ୍ । ଉଖରୁଲ୍ ଜିଲ୍ଲାରେ ଏବେ ସେ ଦାୟିତ୍ବରେ ରହିଛନ୍ତି । ଏକ ମଧ୍ୟବିତ୍ତ ପରିବାରରୁ ନିଜର କ୍ୟାରିୟର ଆରମ୍ଭ କରି, ଶେଷରେ ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି । ବାପା କୃଷ୍ଣଚନ୍ଦ୍ର ସ୍ୱାଇଁ, ବନ ବିଭାଗର ଜଣେ ଅବସରପ୍ରାପ୍ତ କର୍ମଚାରୀ । ବାପାଙ୍କ ଚାକିରୀ ସମୟରେ ନିପଟ ମଫସଲ ଅଞ୍ଚଳରେ ରହି ନିଜର ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ ବବିତା । ପିଲାଟି ବେଳୁ, ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ତାଙ୍କର ପ୍ରତିଭା ବାରି ହୋଇଥିଲା । ପରବର୍ତ୍ତୀ ସମୟରେ ଉଚ୍ଚ ଶିକ୍ଷା ସହ ବି-ଟେକ୍ ପଢ଼ିଲେ । ଏହାସହ ବିନା ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ୨୦୧୭ ରେ ଆଇଆରଏଏସ୍ ରେ ସଫଳତା ପାଇଲେ । କିନ୍ତୁ ଏହି ସଫଳତା ତାଙ୍କୁ ସନ୍ତୁଷ୍ଟ ଲାଗିନଥିଲା । ପୁଣି ୨୦୨୧ ରେ ୟୁପିଏସସି ପରୀକ୍ଷା ଦେଇ, ଆଇପିଏସ୍ ପାଇଲେ । ତାଲିମ୍ ସରିବା ପରେ, ମଣିପୁର ରାଜ୍ୟର ଚାନ୍ଦଲ୍ ଜିଲ୍ଲାରେ ପ୍ରଥମେ ଏସପି ଭାବେ ଚାକିରି ଜୀବନ ଆରମ୍ଭ କଲେ । ଅତି ଶାନ୍ତ ସ୍ବଭାବର ଝିଅ ବବିତା, ଭାରତୀୟ ପୋଲିସ ସେବା ଅଧିକାରିଣୀ ଭାବେ ଦାୟିତ୍ୱ ନେବାପରେ ଦଙ୍ଗା ପ୍ରବଣ ଅଞ୍ଚଳକୁ ମୁକାବିଲା କରିବା, ତାଙ୍କପାଇଁ ଏକ ଚ୍ୟାଲେଞ୍ଜ ଥିଲା । ପରବର୍ତ୍ତୀ ସମୟରେ ସେ ଉଖରୁଲ୍ ଜିଲ୍ଲା କୁ ବଦଳି ହେଲେ । ଏବେ ବି’ ସମାନ ପରିସ୍ଥିତିରେ ସଂପୃକ୍ତ ଜିଲ୍ଲାରେ ଏସପି ଭାବେ ଦାୟିତ୍ୱ ସମ୍ପାଦନ କରି ଚାଲିଛନ୍ତି । ଝିଅର ଏହି ସଫଳତାକୁ ନେଇ, ବାପା-ମା’ ଏବେ ଗର୍ବ କରନ୍ତି । ଜଣେ ନାରୀ ପାଇଁ ସବୁ ସଫଳତା ସମ୍ଭବ ହୋଇପାରେ, ତାହା ନିଜ ଦକ୍ଷତା ଏବଂ ନିଷ୍ଠାପର ଉଦ୍ୟମ ବଳରେ ହାସଲ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି, ବବିତା ରାଣୀ ।