ଯୁଦ୍ଧ ନାମରେ ଅଭାବର କାହାଣୀ। ଡୋମେଷ୍ଟିକାଲ ସିଲିଣ୍ଡରରେ ବ୍ୟବସାୟ

ଚୌଦ୍ଵାର ୧୨/୩ (ଶିବବ୍ରତ ଦାସ ): ଯୁଦ୍ଧର ପ୍ରଭାବ ଦେଖାଇ ଏବେ ବଜାରରେ ଗ୍ୟାସ ସିଲିଣ୍ଡର ଅଭାବର କାହାଣୀ ଚାଲିଛି। ସାଧାରଣ ଲୋକ ଗ୍ୟାସ ପାଇଁ ଏଜେନ୍ସି ଦୁଆରେ ଖରାରେ ବୁଲିବା ସହିତ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି, କିନ୍ତୁ ସିଲିଣ୍ଡର ମିଳୁନି। ଫଳରେ ହାଣ୍ଡି ଶାଳରେ ଚୁଲା ଜଳୁନଥିବାରୁ ଘରଣୀମାନଙ୍କ ମନରେ ଅସନ୍ତୋଷ ଓ ରୋଷ ଦିନକୁ ଦିନ ବଢ଼ିଚାଲିଛି। ଏକ ପକ୍ଷରେ ସାଧାରଣ ପରିବାର ଖରାରେ ଶିଜୁଥିବା ପରି ଅବସ୍ଥାରେ ରାନ୍ଧଣା କରିବାକୁ ବାଧ୍ୟ ହେଉଛନ୍ତି, ଅନ୍ୟ ପକ୍ଷରେ ଚୌଦ୍ଵାର ଓ ଟାଙ୍ଗୀ ଅଞ୍ଚଳର ଅନେକ ହୋଟେଲ ଓ ଜଳଖିଆ ଦୋକାନରେ ଘରୋଇ ଗ୍ୟାସ ସିଲିଣ୍ଡରର ଦବଦବା ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି। ଯେଉଁ ସିଲିଣ୍ଡର ସାଧାରଣ ଘରର ରାନ୍ଧଣା ପାଇଁ ଥିବା କଥା, ସେହି ସିଲିଣ୍ଡର ଦ୍ୱାରା ହୋଟେଲରେ ବ୍ୟବସାୟ ଜମିଯାଇଛି। ଏହି ଦୃଶ୍ୟ ଦେଖି ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି! ଗ୍ୟାସ ସତରେ ଅଭାବ, ନା କାହାର ଅଦୃଶ୍ୟ ହାତରେ ଏହା ଅନ୍ୟ ଦିଗକୁ ଘୁରିଯାଉଛି?
ପ୍ରଶାସନର ନିରବତା ଏବେ ସବୁଠାରୁ ବଡ଼ ପ୍ରଶ୍ନ ହୋଇ ଲୋକଙ୍କ ମନରେ ଉଙ୍କି ମାରୁଛି।ଖୋଲାମେଲା ଭାବରେ ଘରୋଇ ସିଲିଣ୍ଡର ବ୍ୟବହାର ହେଉଥିବା ସତ୍ତ୍ୱେ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ, ତେବେ ସନ୍ଦେହ ସ୍ୱାଭାବିକ ଭାବରେ ଜନ୍ମ ନେବ। ଏହି ନିରବତାକୁ ଅବସର କରି କଳାବଜାରୀ ମାନେ ଏବେ ଖୁଲମ୍ ଖୋଲା ଘରୋଇ ସିଲିଣ୍ଡର ବ୍ୟବସାୟ କରୁଥିବା ଅଭିଯୋଗ ମଧ୍ୟ ଉଠୁଛି। ସରକାରୀ ଦରରେ ମିଳିବାକୁ ଥିବା ସିଲିଣ୍ଡର ଏବେ କେତେକ ସ୍ଥାନରେ ଅଧିକ ଦାମରେ ବିକ୍ରି ହେଉଛି ବୋଲି ଚର୍ଚ୍ଚା ଚାଲିଛି। ଏପରି ପରିସ୍ଥିତିରେ ସାଧାରଣ ଲୋକଙ୍କ ହାଣ୍ଡି ଶାଳ ଅନ୍ଧାର ହେଉଥିବା ବେଳେ କେତେକ ବ୍ୟବସାୟୀଙ୍କ ଚୁଲା ଦହୁଥିବା ଦୃଶ୍ୟ ଅନେକ ପ୍ରଶ୍ନକୁ ଜନ୍ମ ଦେଉଛି। ଏବେ ଦେଖିବାକୁ ରହିଗଲା ପ୍ରଶାସନ ଏହି ଅନିୟମିତତା ଉପରେ ଆଖି ଖୋଲିବ, ନା ସାଧାରଣ ଲୋକଙ୍କ ହାଣ୍ଡି ଶାଳର ଧୁଆଁ ଏଭଳି ଅନ୍ଧାରେ ହିଁ ରହିଯିବ?