ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ନରସିଂହ ନନ୍ଦ ଙ୍କ ପରଲୋକ

ଛତ୍ରପୁର, ତା.୧୨ / ୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଅବସରପ୍ରାପ୍ତ ଆଦର୍ଶ ବରିଷ୍ଠ ଶିକ୍ଷକ ନରସିଂହ ନନ୍ଦ(୮୦) ଙ୍କ ବୁଧବାର ସକାଳେ ଛତ୍ରପୁର ନିକଟସ୍ଥ ତାଙ୍କରି ନିଜସ୍ଵ ବାସଭବନ ଚମାଖଣ୍ଡିଠାରେ ପରଲୋକ ହୋଇଯାଇଛି ।
ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ତିନିପୁଅ,ଗୋଟିଏ ଅଲିଅଳ ଝିଅ, ବୋହୂ, ନାତି ନାତୁଣୀ, ବନ୍ଧୁବର୍ଗ ଉପସ୍ଥିତ ଥିଲେ । ସେ ଜଣେ ଧର୍ମପରାୟଣ ବ୍ୟକ୍ତି ଥିଲେ ।ଏକାଧାରରେ ସେ ଜଣେ ବିଜ୍ଞ, ପାଣ୍ଡିତ୍ୟ, ଜ୍ୟୋତିଷ ଶାସ୍ତ୍ରରେ ପ୍ରବୀଣ ଥିଲେ ଏବଂ ଜଣେ ଆଦର୍ଶ, କର୍ତ୍ତବ୍ୟନିଷ୍ଠ ଓ ଛାତ୍ର ବାତ୍ସଳ ଶିକ୍ଷକ ଥିଲେ ।
ଛତ୍ରପୁର ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଦୀର୍ଘ ତିନି ଦଶନ୍ଧି ରୁ ଅଧିକ ସମୟ ଧରି ଶିକ୍ଷକତା କାର୍ଯ୍ୟ କରିଆସିଥିଲେ । ଅନେକ ଉତ୍ତମ ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ପରି ଗଢ଼ିବାରେ ସକ୍ଷମ ହୋଇଥିଲେ l
ଏକଦା ଛତ୍ରପୁର ବ୍ଲକ ପ୍ରାଥମିକ ଶିକ୍ଷକମାନଙ୍କୁ ଏକତାର ରଜ୍ଜୁରେ ବାନ୍ଧି ରଖିବା ସହ ବ୍ଲକରେ ଶିକ୍ଷକ ସଂଘ କୁ ସଂଗଠିତ କରିବା କ୍ଷେତ୍ରରେ ଏକ ଅଗ୍ରଣୀ ଭୂମିକା ତୁଲାଇଥିଲେ l ତତ୍କାଳୀନ ଶିକ୍ଷକ ନେତା ସ୍ବର୍ଗତ ଦାମୋଦର ପ୍ରଧାନ, ନରସିଂହ ପ୍ରଧାନ, ଲଡ଼ୁକିଶୋର ସେଠୀ ଙ୍କ ସହଯୋଗୀ ରୂପେ କାର୍ଯ୍ୟ କରିବା ସହ ଶିକ୍ଷକ ମାନଙ୍କ ସମ୍ମାନ ପାଇଁ ସର୍ବଦା ଚେଷ୍ଟିତ ଥିଲେ । ତାହାଙ୍କ ବିୟୋଗରେ ଏହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।।