
ଚୌଦ୍ୱାର (ଶିବବ୍ରତ ଦାସ ) ଚୌଦ୍ୱାର ସହର ଏବେ ଏକ ଅସଭ୍ୟ ଖେଳର ସାକ୍ଷୀ—ଯେଉଁଠି ରାତିର ଅନ୍ଧାରକୁ ଅସ୍ତ୍ର କରି, ଦିନରେ ଜଣେ ମହିଳାଙ୍କ ସମ୍ମାନକୁ ସାର୍ବଜନୀନ ଭାବେ ଛିଣ୍ଡାଇ ଦିଆଯାଉଛି। ମହିଳାଙ୍କ ଫଟୋ ସହ ରିଫ୍ଲେଟ ଲଗାଇ ଚରିତ୍ର ହାନିର ଏହି ଘଟଣା କେବଳ ଦୁଷ୍ଟମି ନୁହେଁ, ପୂର୍ବଯୋଜିତ ଅପମାନର ଚକ୍ରାନ୍ତ। ବାଟବୁଢ଼ି କଲୋନୀର ଅବସରପ୍ରାପ୍ତ କର୍ମଚାରୀ ନର୍ମଦା ସ୍ବାଇଁ ଏହି ଘଟଣାର ଶିକାର ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇବା ପରେ, ସେ ରାଜ୍ୟ ମାନବାଧିକାର ପରିଷଦର ଅଧ୍ୟକ୍ଷା ସସ୍ମିତା ଦାସଙ୍କ ସହ ଚୌଦ୍ୱାର ଥାନାକୁ ଯାଇ ଲିଖିତ ଅଭିଯୋଗ କରିଛନ୍ତି, ଅଭିଯୋଗରେ ଯାଜଭୈରବ, ଶ୍ରୀ ବିହାର ଅଞ୍ଚଳର ଅସିତ୍ କୁମାର ମହାପାତ୍ରଙ୍କ ନାମ ଉଠିଥିବା ବେଳେ, ପୂର୍ବ ବିବାଦ ଏହି ଘଟଣାକୁ ଆଉ ଅଧିକ ସନ୍ଦେହଜନକ କରିଛି।
ମହିଳାଙ୍କୁ ବଦନାମ କରିବାକୁ ଯେଉଁମାନେ ରାତି ଚୟନ କରୁଛନ୍ତି, ସେମାନେ ଦିନର ଆଲୋକକୁ ଭୟ କରୁଛନ୍ତି ଏହା ହେଉଛି ସବୁଠାରୁ ବଡ ସତ୍ୟ। ଏକ ଘରୋଇ ସିସିଟିଭିରେ ଦୃଶ୍ୟ ରେକର୍ଡ ରହିଥିବା ଦାବି ହେଉଛି।
କ୍ୟାମେରା ଦେଖୁଛି, ଲୋକ ଦେଖୁଛନ୍ତି… କିନ୍ତୁ କାର୍ଯ୍ୟାନୁଷ୍ଠାନ ଅପେକ୍ଷାରେ ନର୍ମଦା। ଏହି ଘଟଣା କେବଳ ଜଣେ ମହିଳାଙ୍କର ନୁହେଁ!ଏହା ସମାଜର ମୂଲ୍ୟବୋଧକୁ ଖୋଲା ଚ୍ୟାଲେଞ୍ଜ। ଆଜି ଯଦି ଏହାକୁ ଅଣଦେଖା କରାଯାଏ, ତେବେ କାଲି ଏହି “ରିଫ୍ଲେଟ ସଂସ୍କୃତି” ଆଉ ଅନେକ ଘରକୁ ଛୁଇଁବା ନିଶ୍ଚିତ। ପୋଲିସ ପକ୍ଷରୁ ତଦନ୍ତ ଓ କଠୋର କାର୍ଯ୍ୟାନୁଷ୍ଠାନର ଆଶ୍ୱାସନ ମିଳିଛି। କିନ୍ତୁ ଏବେ ଲୋକଙ୍କ ପ୍ରଶ୍ନ ସରଳ ଆଶ୍ୱାସନ ନୁହେଁ, ଫଳାଫଳ କେବେ? ମୁହଁ ଲୁଚାଇ କରାଯାଇଥିବା ଅପମାନ ଦୀର୍ଘ ସମୟ ଲୁଚି ରହେନାହିଁ ବୋଲି ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି