ନର୍ଦମା ପାଣିରେ ହନ୍ତସନ୍ତ ୱାର୍ଡ ବାସୀ

ଚୌଦ୍ୱାର (ଶିବବ୍ରତ ଦାସ ) ଚୌଦ୍ଵାର ପୌରପାଳିକାର ୧୯ ନମ୍ବର ୱାର୍ଡର ଅବସ୍ଥା ଦେଖିଲେ ସ୍ପଷ୍ଟ ଅନୁମାନ ହେଉଛି, ଏଠାରେ ଉନ୍ନତି କାଗଜରେ ହେଉଛି, ଭୂମିସ୍ତରରେ ମଇଳା ପାଣିରେ ଲୋକେ ଜୀବନ କାଟୁଛନ୍ତି। ପ୍ରତିମାସ ସଫେଇ ନାମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ଦାବି କରୁଛି ପୌର ପ୍ରଶାସନ। ବାସ୍ତବ ଚିତ୍ର ଦେଖିଲେ ଜଣାପଡୁଛି ସଫେଇ ନାମରେ କେତେ ହେରଫେର ହେଉଛି।ୱାର୍ଡରେ ଘର ଆଗରେ ଡ୍ରେନର ମଇଳା ପାଣି ଜମି ରହିଛି, ସେଇ ମଇଳା ପାଣିରେ ଉଠୁଥିବା ଦୂର୍ଗନ୍ଧ ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଦୈନନ୍ଦିନ ଅଭିଶାପ ହୋଇପଡ଼ିଛି। ଲୋକେ ବାଧ୍ୟ ହୋଇ ସେହି ପାଣିରେ ଚାଲି ଘରକୁ ପ୍ରବେଶ କରୁଛନ୍ତି, ମନେହେଉଛି ଏହା କୌଣସି ସହର ନୁହେଁ, ଏକ ଅବହେଳିତ ଜଳାଶୟ! ଛୋଟ ପିଲାମାନେ ସେଇ ମଇଳା ପାଣିରେ ଚାଲି ବିଦ୍ୟାଳୟ ଯାଉଛନ୍ତି। ଏହା ଉନ୍ନତିର ନୂଆ ମଡେଲ୍ ନା ବିପଦ ଓ ରୋଗଗ୍ରସ୍ତ ର ଆମନ୍ତ୍ରଣ?
ବିଶେଷ କରି ମହିଳାମାନଙ୍କ ଦୁର୍ଦ୍ଦଶା କଥା କହିବାକୁ ଶବ୍ଦ ଅପର୍ଯ୍ୟାପ୍ତ। ପୂଜାପାଠ କିମ୍ବା ମନ୍ଦିରକୁ ଯିବା ପୂର୍ବରୁ ତାଙ୍କୁ ମଇଳା ପାଣିରେ ‘ଶୁଦ୍ଧିକରଣ’ କରିବାକୁ ପଡ଼ୁଛି, ଏହାକୁ କି ପୌରପାଳିକାର ନୂଆ ପରମ୍ପରା କୁହାଯିବ? ଏତେ ସମସ୍ୟା ସତ୍ତ୍ୱେ ମଧ୍ୟ ପ୍ରଶାସନର ନିରବତା ଅତ୍ୟନ୍ତ ଚମତ୍କାରକ। ଲୋକଙ୍କ ଅଭିଯୋଗ ହେଉଛି! ସ୍ଥାନୀୟ ପାରିଷଦ ଏହି ରାସ୍ତା ଦେଇ ଯାଉଥିବା ସତ୍ତ୍ୱେ ମଧ୍ୟ ସମସ୍ୟାକୁ ନ ଦେଖିବାର ଅଭିନୟ କରୁଛନ୍ତି। ମନେହେଉଛି! ଲୋକଙ୍କ କଷ୍ଟ ନୁହେଁ, କେବଳ କୁର୍ସି ଓ କ୍ଷମତା ହିଁ ପାରିଷଦଙ୍କ ପ୍ରଥମ ପ୍ରାଥମିକତା। ସାନିଟାରୀ ଷ୍ଟାଣ୍ଡିଂ କମିଟି କାହିଁକି ନିରବ? ସଫେଇ ପାଇଁ ଆସୁଥିବା ଅର୍ଥ କୁଆଡେ ଯାଉଛି? ଯଦି ସଠିକ୍ ମାର୍ଗରେ ଖର୍ଚ୍ଚ ହେଉଛି ତେବେ ଏତେ ଦୁର୍ଦ୍ଦଶା କାହିଁକି? କାହାର ଅବହେଳା? ନା କି ‘ସଫେଇ’ କେବଳ ରିପୋର୍ଟ ଓ ଫାଇଲ୍‌ରେ ସୀମିତ? ଏବେ ଲୋକମାନଙ୍କ ଧୈର୍ଯ୍ୟର ସୀମା ଉଲଂଘନ କରିଛି। ଶୀଘ୍ର ସ୍ଥାୟୀ ସମାଧାନ ନ ହେଲେ, ପୌର କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ଧାରଣା ଦେବା ପାଇଁ ସ୍ଥାନୀୟମାନେ ସଚେତନ କରିଛନ୍ତି। ଲୋକଙ୍କ ଭୋଟର ମୂଲ୍ୟ ଏତିକି? ନା କି ଏହି ମଇଳା ପାଣି ହିଁ ପୌରପାଳିକାର ସତ୍ୟ ଚିତ୍ର? ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚା ହେଉଛି।