
ଭୁବନେଶ୍ୱର ୨୦/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ସ୍ଵତନ୍ତ୍ର ପ୍ରତିନିଧି): ଦଣ୍ଡବିଧାନ ସହିତ ସଚେତନତା ଓ ସଂସ୍କାର ଉପରେ ଓଡ଼ିଶା ପୋଲିସ ଗୁରୁତ୍ୱ ଦେଉଛି। ଓଡ଼ିଶାରେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଆର୍ଥିକ ଅନୁଦାନରେ ୨୯ ଟି ଜିଲ୍ଲାରେ ୪୧ ଗୋଟି ଓ ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନରେ ୧୧ ଗୋଟି ନିଶା ନିବାରଣ କେନ୍ଦ୍ର , ମୋଟ ୫୨ ଟି ନିଶା ନିବାରଣ କେନ୍ଦ୍ର କାର୍ଯ୍ୟ କରୁଛି। କେନ୍ଦ୍ର ସରକାରଙ୍କ ଦ୍ଵାରା ପରିଚାଳିତ ନିଶା ନିବାରଣ କେନ୍ଦ୍ରରେ ୧୫ ଜଣ ଓ ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ କେନ୍ଦ୍ରରେ ୩୦ ଜଣ ଲେଖାଁଏ ନିଶାସକ୍ତ ବ୍ୟକ୍ତି ମାନଙ୍କ ପାଇଁ ମାଗଣାରେ ଏକମାସ ପର୍ଯନ୍ତ ରହିବା, ଖାଇବା, ଚିକିତ୍ସା ସହିତ ବୈଷୟିକ ତାଲିମ ଦିଆଯାଉଅଛି।
ଏପର୍ଯ୍ୟନ୍ତ ୧୯,୩୯୫ ଜଣ ବ୍ୟକ୍ତି ନିଶାରୁ ନିବୃତ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି।
ରାଜ୍ୟବାସୀଙ୍କୁ ନିଶାମୁକ୍ତ ରଖିବା ପାଇଁ ବିଭିନ୍ନ ସ୍କୁଲ, କଲେଜ ଓ ସର୍ବସାଧାରଣ ସ୍ଥାନରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଓଡ଼ିଶା ପୋଲିସ ରାଜ୍ୟବାସୀଙ୍କୁ ନିଶାମୁକ୍ତ ସମାଜ ଗଠନରେ ସହଯୋଗ କରିବାକୁ ଅନୁରୋଧ କରୁଛି। ନିଶା କାରବାର ସମ୍ପର୍କିତ କୌଣସି ସୂଚନା ଥିଲେ ନିକଟସ୍ଥ ପୋଲିସ ଷ୍ଟେସନ କିମ୍ବା ହେଲ୍ପଲାଇନ ନମ୍ବରରେ ଜଣାଇବାକୁ ଆହ୍ୱାନ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ଅଭ୍ୟାସଗତ ନିଶା ବ୍ୟବସାୟୀମାନଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଓଡ଼ିଶା ପୋଲିସ କାର୍ଯାନୁଷ୍ଠାନ ଗ୍ରହଣ କରୁଛି । ନିଶା ବ୍ୟବସାୟୀମାନଙ୍କ ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗିବାକୁ NSA ଭଳି ( ପିଆଈଟିଏନଡ଼ିପିଏସ ଆକ୍ଟ ର ଧାରା–୩) ୧୯୮୮ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ମୋଟ ୧୬ଟି ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି। ଏଥିରୁ ପିଆଈଟିଏନଡ଼ିଏସ ଆକ୍ଟ ର ଧାରା–୩) ୧୯୮୮ ଅନୁଯାୟୀ ୨ଟି ମାମଲାରେ ଦୁଇଜଣ ନିଶା ବ୍ୟବସାୟୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରାଯାଇଛି । ଉଭୟ ଏବେ ଜେଲରେ ଅଛନ୍ତି।