
ବେଲଗୁଣ୍ଠା/୨୬/୦୩ (ବିନାୟକ ଗୌଡ଼): ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଥିବା ସୁରକ୍ଷିତ ମାତୃତ୍ୱ ଆଶ୍ୱସନ କାର୍ଯ୍ୟକ୍ରମ ପାଇଁ ନବ ନିଯୁକ୍ତ ସୁମନ ସ୍ୱେଚ୍ଛାସେବୀ ମାନଙ୍କ ପାଇଁ ଏକ ଦିନିକିଆ ପ୍ରାକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବୁଧୁବାର ଦିନ ସ୍ଥାନୀୟ ବେଲଗୁଣ୍ଠା ବଣିକ ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ସଂଯୋଜକ ଆଲୋକ କୁମାର ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟ ସଂଯୋଜକ ଶ୍ରୀଧର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ କଟକ ଜିଲ୍ଲା ସଂଯୋଜକ ବିପିନ ବିହାରୀ ଦାସ, ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ସଂଯୋଜିକା କୌଶଲ୍ୟା ସାମଲ, ବେଲଗୁଣ୍ଠା ମିଡ଼ିଆ କ୍ଲବ ସଭାପତି ତଥା ଯୁବ ସାମ୍ବାଦିକ ଏଲ.ସତୀଶ ରେଡ୍ଡୀ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନେ ଶ୍ରୀମାଙ୍କ ଫୋଟ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସୁମନର ମୂଳ ଲକ୍ଷ୍ୟ ହେଉଛି ଗର୍ଭବତୀ ମା ଓ ନବଜାତ ଶିଶୁଙ୍କୁ ମର୍ଯ୍ୟାଦାପୂର୍ଣ୍ଣ, ଉଚ୍ଚ-ଗୁଣବତ୍ତା ସମ୍ପର୍ଣ୍ଣ ଏବଂ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଶୂନ୍ୟ ମାତୃ ଓ ଶିଶୁ ମୃତ୍ୟୁହାର ସୁନିଶ୍ଚିତ କରିବା ଏବଂ ପ୍ରସବର ଛଅ ମାସ ପର୍ଯ୍ୟନ୍ତ ମହିଳାମାନଙ୍କୁ ଏକ ନିଶ୍ଚିତ ସେବା ପ୍ୟାକେଜ୍ ପ୍ରଦାନ କରିବା ବୋଲି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀଧର ବେହେରା କହିଥିଲେ । ପ୍ରସବ ପୂର୍ବରୁ ଗର୍ଭବତୀ ମା ମାନଙ୍କ ସୁରକ୍ଷା ପାଇଁ ଆବଶ୍ୟକ ବିଭିନ୍ନ ବିଷୟ ବସ୍ତୁ ଉପରେ ରାଜ୍ୟ ସଂଯୋଜକ ଶ୍ରୀ ବେହେରା ସୁମନ ସ୍ବେଛାସେବୀଙ୍କୁ କହିଥିବା ବେଳେ ଶ୍ରୀମାଙ୍କ ଆଦର୍ଶ , ଜୀବନ ଚର୍ଯ୍ୟା ଓ ସେବା କାର୍ଯ୍ୟକ୍ରମ ଉପରେ ମଧ୍ୟ ଆଲୋକ ପାତ କରିଥିଲେ । ସୁମନ ସ୍ବେଚ୍ଛାସେବୀ ମାନେ ସ୍ଥାନୀୟ ଅଞ୍ଚଳରେ ଥିବା ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ମିଶି ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବେ ବୋଲି ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବ୍ଲକ, ଭଞ୍ଜନଗର ବ୍ଲକ, ଜଗନ୍ନାଥ ପ୍ରସାଦ ବ୍ଲକ ଓ ବୁଗୁଡ଼ା ବ୍ଲକର ପ୍ରାୟ ୪୦ରୁ ଉର୍ଦ୍ଧ୍ବ ସୁମନ ସ୍ବେଚ୍ଛାସେବୀ ଯୋଗ ଦେଇଥିଲେ । ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୪ଟି ବ୍ଲକର ବ୍ଲକ ସଂଯୋଜକ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।